ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା । ପ୍ରତିଦିନ ଆସୁଛି ୬.୬୪ ଲକ୍ଷ ମିଛ କଲ, ଟାର୍ଗେଟରେ ରହୁଛି ବ୍ୟାଙ୍କ ଠକେଇ ।

77

କନକ ବ୍ୟୁରୋ : ଭାରତରେ ସ୍ପାମ୍ କଲ୍ ସଂଖ୍ୟା ବଢ଼ୁଛି। ୨୦ଟି ଦେଶକୁ ନେଇ ହୋଇଥିବା ଏକ ସର୍ଭେରେ ଭାରତ ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ ସ୍ଥାନରେ ରହିଛି। ଗତବର୍ଷ ଭାରତ ଏହି ତାଲିକାରେ ନବମ ସ୍ଥାନରେ ଥିବାବେଳେ ଚଳିତବର୍ଷ ସ୍ଥିତି ଅଧିକ ଖରାପ ହୋଇଛି। ମୁଖ୍ୟତଃ ସେଲ୍ସ ଓ ଟେଲିମାର୍କେଟିଂ କମ୍ପାନି ଗୁଡ଼ିକ ଠାରୁ ଏହି ସ୍ପାମ୍ କଲ ଆସୁଛି ବୋଲି ଟ୍ରୁକଲର ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।

ସୂଚନା ଅନୁଯାୟୀ, ଜଣେ ସ୍ପାମର ଗତ ୧୦ ମାସ (ଜାନୁଆରିରୁ ଅକ୍ଟୋବର) ମଧ୍ୟରେ ୨୦.୨ କୋଟିରୁ ଅଧିକ ସ୍ପାମ କଲ୍ କରିଛି। ତେବେ ଏହି ସ୍ପାମର ଜଣକ କିଏ ତାହା ଟ୍ରୁକଲର ପ୍ରକାଶ କରିନାହିଁ। କିନ୍ତୁ ସ୍ପାମ କଲ୍ ଦ୍ବାରା ପ୍ରଭାବିତ ହେଉଥିବା ୨୦ଟି ଦେଶରେ ୟୁଜର ପିଛା ମାସକୁ ୧୬.୮ଟି ସ୍ପାମ କଲ୍ ଆସୁଛି। ଟ୍ରୁକଲର ବ୍ୟବହାରକାରୀମାନେ ଗତ ଅକ୍ଟୋବରରେ କେବଳ ୩୮୦ କୋଟିରୁ ଅଧିକ ସ୍ପାମ୍ କଲ୍ର ଶିକାର ହୋଇଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଟ୍ରୁକଲର କମ୍ପାନି ୧୮୪୫୦ କୋଟି ସ୍ପାମ୍ କଲ୍ ଏବଂ ୫୮୬୦୦ କୋଟି ସ୍ପାମ ମେସେଜ୍ ଚିହ୍ନଟ କରିଛି। ସେଗୁଡ଼ିକ ମଧ୍ୟରୁ ୩୭୮୦ ଚିହ୍ନଟ କରାଯାଇ ରୋକାଯାଇପାରିଛି। ସେହିଭଳି ୫୮୬୦୦ କୋଟି ସ୍ପାମ ମେସେଜ୍ ମଧ୍ୟରୁ ୧୮୨୦୦ କୋଟି ସ୍ପାମ ମେସେଜ୍କୁ ଚିହ୍ନଟ କରାଯାଇ ଅଟକା ଯାଇଛି। ବିଭିନ୍ନ ବର୍ଗର ସ୍ପାମ କଲ୍ ମଧ୍ୟରୁ ସେଲ୍ସ ସଂପର୍କିତ ସ୍ପାମ କଲ୍ ସଂଖ୍ୟା ୯୩.୫ ପ୍ରତିଶତ ରହିଛି। ଭାରତରେ ସାଧାରଣତଃ କେୱାଇସି ସଂପର୍କିତ ସ୍ପାମ କଲ୍ ସଂଖ୍ୟା ଅଧିକ ରହିଛି। ଏସବୁ କ୍ଷେତ୍ରରେ ସ୍ପାମ୍ କଲ୍ କରୁଥିବା ବ୍ୟକ୍ତିମାନେ ସେମାନଙ୍କୁ ବ୍ୟାଙ୍କ ଅଧିକାରୀ, ଡିଜିଟାଲ ୱାଲେଟ, ଡିଜିଟାଲ ପେମେଣ୍ଟ୍ ସର୍ଭିସ କିମ୍ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧିକାରୀଭାବେ ପରିଚୟ ଦେଇ ସ୍ପାମ କଲ୍ କରିଥାନ୍ତି।