ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ : ନୂଆ ବାଚସ୍ପତି ଭାବେ ଶପଥ ନେବେ ବିକ୍ରମ କେଶରୀ ଆରୁଖ

176

କନକ ବ୍ୟୁରୋ : ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ । ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ କରାଯାଇଛି । ସକାଳ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ବାଚସ୍ପତି ନିର୍ବାଚନ ପରେ ଗୃହ ମୁଲତବି ରହିବ । ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୪ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ । ଯାହା ପରେ ବିଜେଡି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ବିକ୍ରମ କେଶରୀ ଆରୁଖଙ୍କ ନାଁ ଘୋଷଣା କରାଯାଇଥିଲା ।

ଗତ ୧୦ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ବିଧାନସଭା ସଚିବଙ୍କ ନିକଟରେ ସେ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦିଆଯାଇ ବିଧାନସଭାର ବାଚସ୍ପତି ଦାୟିତ୍ୱ ଦିଆଯାଇଛି । ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସମସ୍ତ ମନ୍ତ୍ରୀଙ୍କ ସହ ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ । ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଓ ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ପୁଅ ସୂଚନା ଦେଇଥିଲେ ।