୫୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି…ଏପର୍ଯ୍ୟନ୍ତ ହୋଇପାରିନି ଉଦ୍ଧାର; ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ

451

କନକ ବ୍ୟୁରୋ : ୫୦ ଘଣ୍ଟାରୁ ଅଧିକ ସମୟ ବିତି ସାରିଲାଣି ହେଲେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହାନ୍ତି ରାହୁଲ ସାହୁ । ଛତିଶଗଡ଼ କାଞ୍ଜଗିରି-ଚାମ୍ପାର ପରହ୍ରିଡ ଗାଁରେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ୮୦ ଫୁଟ ଗଭୀର ଗର୍ତ୍ତ ଭିତରୁ ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ ।  ଗୁଜରାଟରୁ ରୋବୋଟ ଏକ୍ସପର୍ଟ ରୋବର୍ଟକୁ ନେଇ ଘଟଣାସ୍ଥଳରେ ପହଞ୍ଚିଛି । ହେଲେ ୮୦ ଫୁଟର ବୋରୱେଲ ଭିତରେ ରାହୁଲ ଶୋଇଯାଉଥିବାରୁ ରୋବୋଟ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟକୁ ଅଟକାଯାଇଛି ।

ବୋରୱେଲ ନିକଟରେ ଜେସିବିରେ ଖୋଳା ଯାଉଛି । ରାହୁଲଙ୍କ ପାଖରେ ପହଞ୍ଚିବାକୁ ସୁଡଙ୍ଗ ତିଆରି କରାଯିବ । ସୂଚନାଅନୁସାରେ ଶୁକ୍ରବାର ଦ୍ୱିପ୍ରହର ସମୟରେ ୧୧ ବର୍ଷର ନାବାଳକ ରାହୁଲ ସାହୁ ଏକ ବୋରୱେଲରେ ଖସି ପଡ଼ିଥିଲେ । ନିଜ ଘର ବାରିପଟେ ଜମିରେ ପାଣି ମଡ଼ାଇ ବୋରୱେଲ ଖୋଳିଥିଲେ । ପାଣି ନବାହାରିବାରୁ ତାକୁ ସେପରି ଖୋଲା ଛାଡ଼ି ଦେଇଥିଲେ । ରାହୁଲ ସେହି ସ୍ଥାନରେ ଖେଳୁଥିବା ସମୟରେ ଖସି ପଡ଼ିଥିଲେ ।

୩ଦିନ ହେବ ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛନ୍ତି ରାହୁଲ । ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ସେପଟେ ରୋବୋଟ ସାହାର୍ଯ୍ୟରେ ଶିଶୁର ଶାରୀରିକ, ମାନସିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସୂଚନା କମ୍ପ୍ୟୁଟର ମାଧ୍ୟମରେ ଉଦ୍ଧାରକାରୀ ଦଳକୁ ଦିଆଯାଉଛି । ରାହୁଲଙ୍କୁ ପାଇପ ଯୋଗେ ଖାଦ୍ୟ, ପାଣି ଓ ଅକ୍ସିଜେନ ଯୋଗାଇ ଦିଆଯାଉଛି ।