ରାଜ୍ୟ ବଜେଟରେ ନିର୍ବାଚନୀ ଛୁଙ୍କ : ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟର କିଣିବା ପାଇଁ ବିନା ସୁଧରେ ମିଳିବ ରୁଣ

159

କନକ ବ୍ୟୁରୋ : ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ଆଗକୁ ନିର୍ବାଚନ । ମୋଟ ୨ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି । ବଜେଟରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇଛନ୍ତି ସରକାର । ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ଏଥିରେ ନିର୍ବାଚନୀ ଛୁଙ୍କ ଦେଖିବାକୁ ମିଳିଛି । ଯାହାକୁ ବିରୋଧୀ ମଧ୍ୟ ହୃଦବୋଧ କରିଛନ୍ତି ।

ବଜେଟରେ ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା ହୋଇଛି । ଇ-ସ୍କୁଟର କିଣିବା ପାଇଁ ବିନା ସୁଧରେ ମିଳିବ ଋଣ । ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦କୋଟିର ବ୍ୟୟବରାଦ କରାଯାଇଛି । ବଜେଟରେ କୃଷି କ୍ଷେତ୍ର ପାଇଁ ଭଣ୍ଡାର ଖୋଲିଛନ୍ତି ସରକାର । ଚାଷୀର ଆୟବୃଦ୍ଧି ପାଇଁ କୃଷି ବଜେଟରେ ଗତ ଆର୍ଥିକ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ପାଣ୍ଠି ଦେଇଛନ୍ତି ରାଜ୍ୟ ସରକାର । ଏଥର ମୋଟ ୨୪ହଜାର ୮୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । କାଳିଆ ଯୋଜନା ପାଇଁ ୧୮ ଶହ ୭୯ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗକୁ ୧୬ ହଜାର ୪୮କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଏହା ଗତବର୍ଷଠାରୁ ୨୭ ପ୍ରତିଶତ ଅଧିକ । ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥା ହୋଇଛି । ରାଜ୍ୟରେ ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା । ଏଥିପାଇଁ ୭୫୦ କୋଟିର ବ୍ୟୟବରାଦ କରାଯାଇଛି । ରାଜ୍ୟ ବଜେଟକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଏହି ବଜେଟ ରାଜ୍ୟକୁ ନୂଆ ଦିଶା ଦେବ । ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏଥିରେ ସାଧାରଣ ଲୋକଙ୍କ ପାଇଁ କିଛି ନୂଆ ନାହିଁ ।