ଆଜିଠୁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି : ବୁଲିବ ମୋବାଇଲ୍ ପାଟ୍ରୋଲିଂ ଗାଡ଼ି; ଭିଡ ପାଇଁ ଦାୟୀ ରହିବେ ଦୋକାନୀ ଓ ମଲ୍ ମାଲିକ

ସେପଟେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

170

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଲାଗୁ । ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ପୂର୍ବରୁ ରାତି ୧୦ରୁ ନାଇଟ କର୍ଫ୍ୟୁ ହେଉଥଲା । ଏହି ସମୟ ମଧ୍ୟରେ ଯେମିତି ଦୋକାନ ବଜାର ବନ୍ଦ ସହ କେଉଁଠି ଗହଳି ନ ହେବ, ତା’ ଉପରେ ସ୍ବତନ୍ତ୍ର ନଜର ରଖାଯିବ । କରୋନା କଟକଣା ଲାଗୁ ଓ କାର୍ଯ୍ୟାନୁଷ୍ଠାନ ପାଇଁ ୧୫ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ। ମୋବାଇଲ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ । ବିଶେଷକରି ଛକ, ବଜାର ଅଞ୍ଚଳରେ ଗହଳି ଉପରେ ନଜର ରଖାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଏହାସହ ଅଫିସ୍, ସିନେମା ହଲ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ଦୋକାନୀ ଓ ମଲ ମାଲିକଙ୍କ ସରକାରଙ୍କ କଡ଼ା ନିର୍ଦ୍ଦେଶ, ଯେପରି ସେଠାରେ ଗହଳି ହେବ ନାହିଁ । ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ମଲ୍ ମାଲିକ ଓ ଦୋକାନୀଙ୍କ ରହିବ, ଆଉ ଯଦି ଏହା ଉଲଂଘନ ହୁଏ, ତାହେଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ଶହେ ଜଣ ଯୋଗଦେଇପାରିବେ । ତେବେ ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣ ଯାଇପାରିବେ । ସେହିପରି ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଜଣ ଭାଗ ନେଇପାରିବେ । ପିକନିକ ସ୍ପଟରେ ଭୋଜିକୁ ବାରଣ କରାଯାଇଛି, କଲ୍ୟାଣ ମଣ୍ଡପରେ କୌଣସି ସାଂସ୍କୃତି କାର୍ଯ୍ୟକ୍ରମ ହେବ ନାହିଁ । ମାସ୍କ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।

ସେପଟେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ରାଜ୍ୟର ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ ଜରିଆରେ ବିଭିନ୍ନ ଘରୋଇ ହସ୍ପିଟାଲର କର୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ସହ କରୋନା ମୁକାବିଲା ଉପରେ ଆଲୋଚନା କରିଛନ୍ତି । ଆସନ୍ତା ୭ ଦିନ ଭିତରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ କୋଭିଡ ହସ୍ପିଟାଲରେ ଆଇସିୟୁ ଓ ଭେଂଟିଲେଟର ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ମହାମାରୀ ସମୟରେ ଜନସାଧାରଣଙ୍କୁ ନିଷ୍ଠା ଓ ସହାନୁଭୁତିର ସହ ଚିକିତ୍ସା ସେବା ଯୋଗାଇ ଦେବା ଉପରେ ଜୋର ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।