ରାଜ୍ୟ ବାହାରୁ ବିମାନରେ ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ : ଗାଇଡଲାଇନ ଜାରି କଲା ବିଏମସି

ରିପୋର୍ଟ ଆସିବା ଯାଏଁ ଘରୋଇ ସଂଗରୋଧରେ ରହିବେ ଯାତ୍ରୀ

106

କନକ ବ୍ୟୁରୋ : ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ବିଏମସି । ଏଣିକି ବିମାନରେ ଆସୁଥିବା ସମସ୍ତ ଯାତ୍ରୀଙ୍କ ଆରଟିପିିସିଆର ଟେଷ୍ଟ କରାଯିବ । ବାହାର ରାଜ୍ୟରୁ କିମ୍ବା ବିଦେଶରୁ ଆସୁଥିଲେ, ବିମାନ ବନ୍ଦରରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଆଜିଠାରୁ ଏହି ନିୟମ ଲାଗୁ ହେବ । ଯାତ୍ରୀଙ୍କ ପରୀକ୍ଷା ପାଇଁ ବିମାନ ବନ୍ଦରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଟେଷ୍ଟ ରିପୋର୍ଟ ନ ଆସିବା ଯାଏଁ ଯାତ୍ରୀ ଘରେ ସଙ୍ଗରୋଧରେ ରହିବେ ।

ବିଏମ୍‌ସିର ନିଷ୍ପତ୍ତି ଅନୁଯାୟୀ, ଏଣିକି ଯେଉଁମାନେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ସେମାନଙ୍କର ଆର୍‌ଟିପିସିଆର୍ ଟେଷ୍ଟ ହେବ। ଯାତ୍ରୀ ଦୁଇ ଡୋଜ୍‌ ଟିକା ନେଇଥିଲେ, ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଆଣିଥିଲେ ବି ଆର୍‌ଟିପିସିଆର୍‌ ଟେଷ୍ଟ କରିବେ । ଏହା ଶୁକ୍ରବାର ଠାରୁ ଆରମ୍ଭ ହେବ ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ଟର୍ମିନାଲ-୧ ପରିସରରେ ଆର୍‌ଟିପିସିଆର୍‌ ଟେଷ୍ଟିଂ ସୁବିଧା କରାଯାଇଛି । ଏଠାରେ ଯେଉଁମାନେ ବାହାର ରାଜ୍ୟରୁ ବିମାନରେ ଆସିବେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ । ଭୁବନେଶ୍ବରରେ ଯେଉଁ ଯାତ୍ରୀମାନେ ରହିବେ ସେମାନଙ୍କୁ ଟେଷ୍ଟିଂ ପରେ ଛାଡ଼ି ଦିଆଯିବ । ସେମାନେ ଟେଷ୍ଟିଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏକାନ୍ତବାସରେ ରହି‌େବ । ଯେଉଁମାନଙ୍କର ପଜିଟିଭ୍ ରିପୋର୍ଟ ଆସିବ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବା ସହ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ପାଳନ କରାଯିବ । ହେଲେ ଯେଉଁ ଯାତ୍ରୀମାନେ ବିମାନବନ୍ଦରରେ ଓହ୍ଲାଇ ସଂଯୋଗୀକରଣ ବିମାନରେ ଯିବାର ଥିବ ସେମାନଙ୍କର ‌କୋଭିଡ ପରୀକ୍ଷା ହେବନି ।

ସୂଚନାଯୋଗ୍ୟ ଯେ, ଏବେ ଦୈନିକ ପ୍ରାୟ ୩୪ଟି ବିମାନ ଆ‌ସୁଥିବାବେଳେ ୩୫ଟି ବିମାନ ଯାଉଛି । ଏଥିରେ ଦୈନିକ ପ୍ରାୟ ୭ହଜାର ଲୋକ ଯାତାୟତ କରୁଛନ୍ତି। ଅପରପକ୍ଷେ କୋଲକତା ବିମାନବନ୍ଦରରେ ବିମାନ ଯାତାୟତ ଉପରେ କଟକଣା ଲାଗିଥିବାରୁ ବହୁ ଯାତ୍ରୀ ଭାୟା ଭୁବନେଶ୍ବର ହୋଇ କୋଲକତା ଯାଉଛନ୍ତି । ତେଣୁ ଏହିଭଳି ଯାତ୍ରୀମାନେ ଯେପରି ବିମାନବନ୍ଦର ବାହାରକୁ ଆସିବେନି ତାହା ଉପରେ ଏହା ରୋକ୍‌ ଲଗାଇବ । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ବିମାନ ଚଳାଚଳ ବନ୍ଦ କରିବା ସମ୍ଭାବନା ନଥିବାରୁ ସମସ୍ତ ଆଗନ୍ତୁକ ଯାତ୍ରୀଙ୍କର କୋଭିଡ ଟେଷ୍ଟ କରିବାକୁ କୁହାଯାଇଛି ।