ଶାନ୍ତି ପାଇଁ ଭାଗବତ ଶୁଣିଥିଲା ସୈତାନ: ୨୫ ବର୍ଷ ତଳେ ବ୍ରହ୍ମପୁର ଜେଲରେ ଫାଶୀରେ ଝୁଲିଥିଲା ଦୁଷ୍କର୍ମକାରୀ ଲକ୍ଷ୍ମଣ ନାୟକ । ଜେଲର ବଖାଣିଲେ କେମିତି ଥିଲା ସୈତାନର ଶେଷ ରାତି

950

କନକ ବ୍ୟୁରୋ: ନିର୍ଭୟା ଘଟଣାର ଖଳନାୟକଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଯେତେବେଳେ ଚାରିଆଡେ ଚର୍ଚ୍ଚା ହେଉଛି ସେତେବେଳେ ଫାଶୀକୁ ନେଇ ଭିନ୍ନଭିନ୍ନ କଥା ସମସ୍ତଙ୍କ ମନକୁ ଆସୁଛି । କେମିତି ଦିଆଯାଏ ଫାଶୀ ? ଫାଶୀ ଦେବା ପୂର୍ବରୁ ଅପରାଧୀ ସହ କଣ ଘଟେ? ଫାଶୀ ପରେ କଣ କରାଯାଏ ? ଏମିତି ତମାମ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ତେବେ ୨୫ବର୍ଷ ତଳେ ଫାଶୀ ଖୁଂଟରେ କେମିତି ଝୁଲିଥିଲା ଲକ୍ଷ୍ମଣ ନାୟକ । ବ୍ରହ୍ମପୁର ଜେଲର ଫାଶୀ ଖୁଂଟରେ ଝୁଲିଥିବା ଦୁଷ୍କର୍ମକାରୀ ଲକ୍ଷ୍ମଣ ନାୟକ । ୧୯୯୪ ମସିହା ଜୁଲାଇ ମାସରେ ଶେଷ ଥର ପାଇଁ ବ୍ରହ୍ମପୁର ଜେଲରେ ହିଁ ଫାଶୀ ଦିଆଯାଇଥିଲା । ତେବେ ଫାଶୀ ଦେବା ପୂର୍ବରୁ କ’ଣ ଥିଲା ଲକ୍ଷ୍ମଣର ମାନସିକ ସ୍ଥିତି? କୁକର୍ମ ପାଇଁ ଅନୁତପ୍ତ ଥିଲା କି ଦୋଷୀ ଲକ୍ଷ୍ମଣ ନାୟକ? ସେସମୟର ପୂରା କାହାଣୀ ବଖାଣିଛନ୍ତି ସେ ସମୟର ଆସିଷ୍ଟାଣ୍ଡ ଜେଲର୍ ନିରାକାର ପାଢ଼ୀ ।

ଜେଲରଙ୍କ କହିବା ମୁତାବକ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦେବା ପୂର୍ବରୁ ମହାରାଷ୍ଟ୍ରରୁ ଆସିଥିଲେ ଦୁଇ ଜଣ ଜହ୍ଲାଦ । ଯେଉଁମାନେ କଦଳୀ ଓ ଗୁଆ ଘିଅ ଦେଇ ଫାଶୀ ଦଉଡିକୁ ପ୍ରସ୍ତୁତ କରିଥିଲେ । ଫାଶୀ ପୂର୍ବରୁ ଦୋଷୀର ମାନସିକ ଶାନ୍ତି ପାଇଁ ତାକୁ ଭାଗବତ ଶୁଣାଯାଇଥିଲା । ଆଉ ଯେଉଁଦିନ ଲକ୍ଷ୍ମଣ ନାୟକକୁ ଫାଶୀ ଦିଆଯାଇଥିଲା, ସେଦିନ ସକାଳୁ ସକାଳୁ ଦୋଷୀକୁ ଗାଧୋଇ ଦେଇ ତାକୁ ନୂଆ ପୋଷାକ ପିନ୍ଧାଇ ଫାଶୀ ଖୁଂଟ ପାଖକୁ ଟାଣି ଟାଣି ନିଆଯାଇଥିଲା ।

ତେବେ ଏହି ପୁରା ଘଟଣାକ୍ରମ ଏତେ ସହଜ ନଥିଲା । ଲକ୍ଷ୍ମଣ ନାୟକଙ୍କ ଫାଶୀଦଣ୍ଡ ଆସିଷ୍ଟାଣ୍ଡ ଜେଲରଙ୍କୁ ଏତେ ବିବ୍ରତ କରିଥିଲା ଯେ, ସେ ୩ ଦିନ ଯାଏଁ ଠିକରେ ଶୋଇ ପାରିନଥିଲେ । ୧୯୯୪ ପରେ ଓଡ଼ିଶାରେ ଏହା ପରଠାରୁ ଆଉ କେବେ କାହାରିକୁ ଫାଶୀ ଦିଆଯାଇନାହିଁ । ଆଉ ଓଡ଼ିଶାର ବ୍ରହ୍ମପୁର ଜେଲରେ ହିଁ କେବଳ ଫାଶୀ ଦେବାର ବ୍ୟବସ୍ଥା ରହିଛି ।