ସଂଗଠନ ନାଁରେ ସାଂଘାତିକ ଖେଳ: ବଜ୍ରକାପ୍ତା ଡିଲ୍ କରୁଥିଲେ ପିପୁଲ୍ସ ଫର ଆନିମଲର ସଦସ୍ୟ, ଚାଲ ଖଳି ଚାଲାଣକାରୀକୁ ଗୋଡ଼ାଇ ଧରିଲା ବନବିଭାଗ

905

କନକ ବ୍ୟୁରୋ: ବାଡ଼ ଯେବେ କ୍ଷେତ ଖାଏ, କହିବ କାହାକୁ? ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବଡ଼ ଖୁଲାସା । ଯିଏ ପଶୁଙ୍କ ସୁରକ୍ଷା ପାଇଁ ସୁରକ୍ଷା କବଜ ପାଲଟିଥିଲା ସେ ହିଁ ଥିଲା ସୈତାନ । ଟଙ୍କା ଲୋଭରେ ନୀରିହ ପ୍ରାଣୀଙ୍କୁ ଚାରାଚାଲାଣ କରିବାକୁ ରଚି ଚାଲିଥିଲା ଚାଲ୍ । ଗତ କିଛି ଦିନ ହେବ ବଜ୍ରକାପ୍ତା ଚୋରାଚାଲାଣ ଘଟଣା ବଢ଼ିଚାଲିଥିବାବେଳେ ଏହି ମାମଲାରେ ଅଭିଯୁକ୍ତ ଶୁଭେନ୍ଦୁ ରାଉତରାୟକୁ ଗିରଫ କରିଛି ଆଠଗଡ଼ ବନବିଭାଗ । ଗୋବିନ୍ଦପୁର ଥାନା ଅନ୍ତର୍ଗତ ଶୁଭେନ୍ଦୁ ଏବଂ ଖୁଣ୍ଟଣୀର ଶଙ୍କର ନାଏକ ବନବିଭାଗ ଜାଲରେ ପଡ଼ିଛନ୍ତି । ତେବେ ଗିରଫ ହୋଇଥିବା ଶୁଭେନ୍ଦୁ ରାଉତରାୟ ପିପୁଲ୍ସ ଫର ଆନିମଲ ଏନଜିଓର ସଦସ୍ୟ ବୋଲି ଜଣାପଡ଼ିଛି । ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି ।

ବଜ୍ରକାପ୍ତା ଚାଲାଣ ପାଇଁ ଏକ ରାକେଟ କାମ କରୁଛି । ଏହି ରାକେଟ୍ରେ ଆଠଗଡ଼, ଢେଙ୍କାନାଳ, ଚୌଦ୍ବାର, ନୟାଗଡ ତଥା ଅନ୍ୟ କେତେକ ଅଞ୍ଚଳର ଲୋକେ ସଂପୃକ୍ତ ରହିଛନ୍ତି । ବର୍ଷ ବର୍ଷ ହେଲା ସେମାନେ ଏହି ବେପାର ଚଳାଇଥିବା ବେଳେ କିଛି ଦିନ ହେଲା ନୂଆ ଉପାୟରେ ବେପାର ଆରମ୍ଭ କରିଥିଲେ। କିନ୍ତୁ ଅନଲାଇନ୍ ବେପାର ହିଁ ସେମାନଙ୍କୁ ଶେଷରେ ଧୋକାଦେଇ ଧରାଇଦେଲା ।

ସେପଟେ ବନ ବିଭାଗ ପକ୍ଷରୁ କୁହାଯାଇଛି କି, ବଛା ବଛା ୧୫ରୁ ୨୦ଟି ବଜ୍ରକାପ୍ତା ଚାଲାଣ ହୋଇସାରିଛି । ଆଉ ଯେ ପର୍ଯ୍ୟନ୍ତ ସବୁ ଅଭିଯୁକ୍ତ ଧରାପଡ଼ିନାହାନ୍ତି ସେ ଯାଏଁ ବନ ବିଭାଗର ‘ଅପରେସନ୍ ପାଙ୍ଗୋଲିନ୍’ ଜାରି ରହିବ । ତେବେ, ବିଦେଶୀ ମାଫିଆଙ୍କ ଫୋନ୍ ନମ୍ବର ସବୁ ବନବିଭାଗ ଓ ଡବ୍ଲୁସିସିବି ଟିମ୍ ହାତରେ ଲାଗିଥିବା ବେଳେ ଗିରଫ ଅଭିଯୁକ୍ତମାନେ କିନ୍ତୁ କେବଳ ମୋବାଇଲରେ ହିଁ କାରବାର ଚଳାଇଥିଲେ। କିନ୍ତୁ ମାଫିଆଙ୍କ ମୁହଁ ଦେଖିନଥିଲେ। କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଏହି କାରବାର ପଛରେ ରହିଥିବାବେଳେ ସେମାନେ ବନବିଭାଗ ପଞ୍ଝାରେ ପଡୁ ନାହାନ୍ତି। କିନ୍ତୁ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବଡ ମୁଣ୍ଡଙ୍କୁ ଧରିବା ପାଇଁ ଚାଲିଛି ଯୋଜନା। ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅଧିକାରୀମାନେ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ବଜ୍ରକାପ୍ତା ଓ ଏହାର ଚାଲାଣ ସଂପର୍କରେ ସୂଚନାକାରୀଙ୍କୁ ପୁରସ୍କାର ରାଶି ଘୋଷଣା କରାଯାଇ ପୋଷ୍ଟର ଲଗାଯିବା ପରେ ଏବେ ବିଭାଗକୁ ଘନ ଘନ ଫୋନ୍ କଲ୍ ଆସୁଛି। କେବଳ ସେତିକି ନୁହେଁ ଗୋପନରେ ଅନେକ ଜନପ୍ରତିନିଧି ଆସି କେମିତି ତଥ୍ୟ ଦେବେ, ତଥ୍ୟ ଗୋପନୀୟ ରହିବ କି ନାହିଁ, ସେ ସଂପର୍କରେ ବୁଝିବାକୁ ବନଖଣ୍ଡ ଓ ରେଞ୍ଜ୍ ଅଫିସ୍କୁ ଆସୁଛନ୍ତି।