ଜଗତସିଂହପୁର ଜିଲ୍ଲାରେ ବିକ୍ରି ହେଉଛି ‘ପକ୍କାଘର’! ବିନା ଲାଂଚରେ ହିତାଧିକାରୀଙ୍କୁ ମିଳୁନି ସରକାରୀ ଘର, ସରପଞ୍ଚଙ୍କ ସ୍ୱାମୀ ସାଜିଛନ୍ତି ମୁଖ୍ୟ କାର୍ପୋଟଦାର ।

404

କନକ ବ୍ୟୁରୋ: ବିକ୍ରି ହେଉଛି ପକ୍କା ଘର । ଜିଓ ଟ୍ୟାଙ୍ଗି ଓ ଫଟୋ ଉଠାଇବା ପାଇଁ ଗରୀବ ହିତାଧିକାରୀଙ୍କ ଠାରୁ ଲାଂଚ ମାଗୁ ଥିବା ନେଇ ଆସିଛି ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକରୁ । ସ୍ଥାନୀୟ ସଅଁରା ପଂଚାୟତରେ ସରପଂଚଙ୍କ ସ୍ୱାମୀ ଏହି ଘଟଣାର ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ଆସିଛି । ଏନେଇ ଏକ ରେକର୍ଡ ଫୋନର କଥାବାର୍ତା ଭାଇରାଲ ହେଉଥିବା ବେଳେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ ।

ଏ ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ସଅଁରା ଗାଁର ସ୍ମୃତିକାନ୍ତ ସାହୁଙ୍କ ନଡ଼ାଛପର କୁଡିଆ । ଜରାଜୀର୍ଣ୍ଣ ଘରେ ରହୁଥିବା ସ୍ମୃତିକାନ୍ତ ସରକାରୀ ଯୋଜନାରେ ପକ୍କା ଘର ପାଇଁ ଆବେଦନ କରିଥିବା ବେଳେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ବ୍ଲକର ୨ ଜଣ କର୍ମଚାରୀଙ୍କ ସହ ପଂଚାୟତର ୩ ଜଣ ୱାର୍ଡମେମ୍ବର ତାଙ୍କ ଘରକୁ ଆସିଥିବା ବେଳେ ଜିଓ ଟ୍ୟାଗିଂ କରିବାକୁ ୨ଶହ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି ସ୍ମୃତିକାନ୍ତ । ଏନେଇ ସରପଂଚ ସସ୍ମିତା ଦାସଙ୍କ ସ୍ୱାମୀ ସୁରେନ୍ଦ୍ର ଦାସଙ୍କୁ ଫୋନ କରି ସେ ଅଭିଯୋଗ କରିଥିବା ବେଳେ ଖୁସି କରିବାକୁ ଟଙ୍କା ଦେବା କଥା କହିଛନ୍ତି । ଏନେଇ ଫୋନ ବାର୍ତାଳାପର ଅଡିଓ କ୍ଲପ୍ ସ୍ଥାନୀୟ ଅଂଚଳରେ ଭାଇରାଲ ହେବାରେ ଲାଗିଛି ।

ସ୍ମୃତିକାନ୍ତ କିମ୍ବା ତାଙ୍କ ବାପା କେବେ କୌଣସି ସରକାରୀ ଯୋଜନାର ଲାଭ ପାଇ ନଥିବା ବେଳେ ପକ୍କା ଘର ପାଇଁ ଲାଂଚ ମାଗିଥିବା ଅଭିଯୋଗ ଆଣିଛନ୍ତି ସ୍ମୃତିକାନ୍ତ । ଅନ୍ୟପଟେ ପଂଚାୟତରେ ଘର ପାଇଁ ଲାଂଚ କାରବାର ଚାଲୁଥିବା ନେଇ ସ୍ଥାନୀୟ ଜଣେ ମହିଳା ମଧ୍ୟ ସୁରେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ପକ୍କା ଘର ପାଇଁ ସେ ତାଙ୍କୁ ୧୫ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି । ସେପଟେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସୁଥିବା କହିଛନ୍ତି ସରପଂଚଙ୍କ ସ୍ୱାମୀ ସୁରେନ୍ଦ୍ର ।

ଲାଂଚ କାରବାର ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏନେଇ ତିର୍ତୋଲ ଥାନାରେ ମାମଲା ରୁଜୁ ହୋଇଛି । ରାଜ୍ୟ ସରକାର ଫାଇଭ-ଟିକୁ ଗୁରୁତ୍ୱ ଦେଉଥିବା ବେଳେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପ୍ରଶାସନିକ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ଏଭଳି ଲାଂଚ କାରବାର ନେଇ କଣ ପଦକ୍ଷେପ ନେଉଛି ପ୍ରଶାସନ । ତେଣୁ କେତେଦୂର ସରକାରଙ୍କ ଫାଇଭ୍-ଟିିକୁ ଅନୁପାଳନ କରାଯାଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର ।