‘ଆମ ଖେଳାଳିଙ୍କୁ ରାସ୍ତାକଡରେ ଦେଖି ଦୁଃଖ ଲାଗୁଛି’ । କୁସ୍ତି ଖେଳାଳିଙ୍କ ସମର୍ଥନରେ ଗୋଲ୍ଡେନ ବୟ ନୀରଜ ଚୋପ୍ରା, କ୍ରିକେଟର କପିଲ ଦେବ

222

କନକ ବ୍ୟୁରୋ: ବଜରଙ୍ଗ ପୁନିଆଁ , ବିନେଶ ଫୋଗାଟ୍, ସାକ୍ଷୀ ମଲ୍ଲିକଙ୍କ ସମେତ ଭାରତର ଖ୍ୟାତନାମା କୁସ୍ତି ଖେଳାଳି ଏବେ ନ୍ୟାୟ ପାଇଁ ରାସ୍ତା କଡରେ ଦେଇଛନ୍ତି ଧାରଣା । କୁସ୍ତି ଫେଡେରେସନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡନର ଅଭିଯୋଗରେ ନ୍ୟାୟ ଦାବୀ କରି ପୁନର୍ବାର ଧାରଣାରେ ବସିଛନ୍ତି କୁସ୍ତି ଖେଳାଳି । ଏପରି ସ୍ଥିତିରେ କ୍ଷୋଭ ପ୍ରକାଶ କରିଛନ୍ତି ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ।

କହିରଖୁଁ , ବ୍ରିଜଭୂଷଣ ଶରଣ ସିଂହ କୈସରଗଞ୍ଜରୁ ବିଜେପିର ସାଂସଦ ଅଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । ହେଲେ ଏହି ମାମଲାର ଶୁଣାଣିରେ ବିଳମ୍ବ ହେଉଥିବାରୁ ନ୍ୟାୟ ପାଇଁ ଧାରଣାରେ ବସିଥିବା ଖେଳାଳିଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । କୁସ୍ତି ଖେଳାଳିଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା ଓ କ୍ରିକେଟର କପିଲଦେବ । ଦେଶ ପାଇଁ ଗୌରବ ଆଣିଥିବା କୁସ୍ତି ଖେଳାଳିଙ୍କୁ ଏପରି ରାସ୍ତା କଡରେ ଦେଖିବା କ୍ଷୋଭର ବିଷୟ ବୋଲି କହିବା ସହ ସେମାନଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅପିଲ କରିଛନ୍ତି ଉଭୟ ନୀରଜ ଚୋପ୍ରା ଓ କପିଲ ଦେବ ।