ସହିଦ ଯବାନଙ୍କ ମଧ୍ୟରେ ୫ ଜଣ ଥିଲେ ପୂର୍ବରୁ ନକ୍ସଲ, କିନ୍ତୁ ହିଂସାର ରାସ୍ତା ଛାଡି ଦେଶ ସେବା ପାଇଁ ଡିଆରଜିରେ ଦେଇଥିଲେ ଯୋଗ ।

133

କନକ ବ୍ୟୁରୋ : ଛତିଶଗଡର ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ସହିଦ ୧୦ ଯବାନଙ୍କ ମଧ୍ୟରୁ ୫ ଜଣ ପୂର୍ବରୁ ନକ୍ସଲ ରହିଥିଲେ । କିନ୍ତୁ ସମୟକ୍ରମେ ନକ୍ସଲବାଦରୁ ମୁହଁ ଫେରାଇ ଦେଶ ସେବା କରିବାକୁ ମନସ୍ଥିର କରିଥିଲେ ୫ ସହିଦ ଯବାନ । ସହିଦଙ୍କ ମଧ୍ୟରେ ଜୋଗା ସୋଦି, ମୁନ୍ନା କଡତୀ, ହରିରାମ ମଣ୍ଡାବି, ଜୋଗା କୱାସି, ରାଜୁରାମ କରତମ ଯିଏ ପୂର୍ବରୁ ନକ୍ସଲଙ୍କ ସହ ଜଡିତ ରହିଥିଲେ ।

ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ ପିଙ୍କ କହିବା ଅନୁଯାୟୀ, ଏହି ୫ ଜଣ କେବେ ନକ୍ସଲଙ୍କ ସହ କାମ କରୁଥିଲେ । କିନ୍ତୁ ଆତ୍ମସର୍ମପଣ ପରେ ଏବେ ପୋଲିସ ପାଇଁ କାମ କରି ଆସୁଛନ୍ତି । ସାଧାରଣତଃ ଡିଆରଜିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳିଥାଏ । ୨୦୧୭ରେ ମୁନ୍ନା କଡତୀ ଡିଆରଜିରେ ଯୋଗ ଦେଇଥିଲେ । ସେହିଭଳି ହରିରାମ ଓ ରାଜୁରାମ ଯଥାକ୍ରମେ ୨୦୨୦ ଓ ୨୦୨୨ରେ ଡିଆରଜି ଫୋର୍ସରେ ସାମିଲ ହୋଇଥିଲେ । ଜୋଗା କୱାସି ଗତ ମାସ ଏହି ଫୋର୍ସରେ ସାମିଲ ହୋଇଥିଲେ । ଏମାନଙ୍କୁ ଡିଆରଜିରେ ଧରିତ୍ରୀ ପୁତ୍ର ବୋଲି କୁହାଯାଉଥିଲା । ଯେହେତୁ ଏମାନଙ୍କର ସ୍ଥାନୀୟ ଅଞ୍ଚଳରେ ଭଲ ସୋର୍ସ ରହିଥାଏ ତେଣୁ ନକ୍ସଲ ଅପରେସନରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ଡିଆରଜି ବା ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଫୋର୍ସ । ବସ୍ତର ଡିଭିଜନର ପ୍ରତିଟି ଜିଲ୍ଲାରେ ନକ୍ସଲଙ୍କ ମୁକାବିଲା ପାଇଁ ୨୦୦୮ରେ ଏହାର ଗଠନ ହୋଇଥିଲା । ପରେ ବିଭିନ୍ନ ସ୍ଥାନରେ ଏହାର ଗଠନ ହୋଇଥିଲା । ଏହି ଫୋର୍ସରେ ସ୍ଥାନୀୟ ଯୁବକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଆତ୍ମସମର୍ପଣ କରିଥିବା ଅଧିକାଂଶ ନକ୍ସଲଙ୍କୁ ଭର୍ତ୍ତି କରାଯାଇଥାଏ । ଯାହାଦ୍ୱାରା ବିଭିନ୍ନ ନକ୍ସଲ ଅପରେସନରେ ଏମାନେ ବେଶ ସହାୟକ ହୋଇଥାନ୍ତି । କାରଣ ସ୍ଥାନୀୟ ଅଞ୍ଚଳ ବାବଦରେ ଏମାନେ ଅଧିକ ଅବଗତ ରହିଥାନ୍ତି ।

ତେବେ ଦନ୍ତେୱାଡାରେ ହୋଇଥିବା ଆଇଡି ବିସ୍ଫୋରଣରେ ୧୦ ଡିଆରଜି ଯବାନ ସହିଦ ହେବା ସୁରକ୍ଷାବାହିନୀକୁ ବଡ ଝଟକା ଦେଇଛି । କାରଣ ନକ୍ସଲ ମାନେ ଏବେ ଡିଆରଜି ଯବାନଙ୍କୁ ଟାର୍ଗେଟ କରୁଛନ୍ତି । ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇ ଏଥିରେ ପ୍ରାୟ ୫୦ କିଲୋର ଆଇଡି ଖଞ୍ଜା ଯାଇଥିଲା । ଯାହା ବିସ୍ଫୋରଣ ହେବା ପରେ ଘଟଣାସ୍ଥଳରେ ହିଁ ଡିଆରଜି ଯବାନ ସହିଦ ହୋଇଥିଲେ । ଏପରିକି ବିସ୍ଫୋରଣ ସ୍ଥଳରେ ୬ରୁ ୭ଫୁଟର ଗର୍ତ୍ତ ହୋଇ ଯାଇଥିଲା । ଯାହା ଦର୍ଶାଉଥିଲା ବିସ୍ଫୋରଣ କେତେ ଶକ୍ତିଶାଳୀ ଥିଲା ।