ନବ ଦାସଙ୍କ ହତ୍ୟା ମାମଲା : ଆଉ ମୁହଁ ଖୋଲିବେନି ନରସିଂହ ମିଶ୍ର; ଟିପ୍ପଣୀକୁ ନେଇ ଦୀପାଳି ଦାସଙ୍କ ଆପତ୍ତି ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ବୟାନ

239

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟା ମାମଲାରେ ଆଉ ମୁହଁ ଖୋଲିବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ ଏନେଇ ମନୋରଞ୍ଜନ ମିଶ୍ର ଲାଇଭ୍ କାର୍ଯ୍ୟକ୍ରମରେ କହିଛନ୍ତି । ନବ ଦାସଙ୍କ ଉପରେ ତାଙ୍କର ଟିପପଣୀକୁ ନେଇ ନବଙ୍କ ଝିଅ ଦିପାଳି ଦାସ ଆପତ୍ତି ଉଠାଇବା ପରେ ଏକଥା କହିଛନ୍ତି ନରସିଂହ । ସେ କହିଛନ୍ତି ଯେ, ସ୍ୱର୍ଗତଃ ନବ ଦାସ ତାଙ୍କର ଅତି ଘନିଷ୍ଠ ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ ।

ସେ ତାଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି, ବରଂ କେମିତି ହତ୍ୟକାରୀ ଧରାପଡ଼ିବ, ଦଣ୍ଠିତ ହେବ, ସେ ସମ୍ପର୍କରେ ଯାହା କିଛି ମତ ରଖିଥିଲେ । କୌଣସି ଜାଗାରେ ସେ ନବ ବାବୁଙ୍କର ଚରିତ୍ର ସଂହାର କରି ନାହାନ୍ତି, ହେଲେ ଯଦି ତାଙ୍କର ଟିପପଣୀ ଯୋଗୁଁ ନବ ଦାସଙ୍କ ଝିଅ ଦିପାଳୀ ଓ ପରିବାର ଲୋକଙ୍କୁ କଷ୍ଟ ଦେଇଛି, ତାହେଲେ ସେ ଦୁଃଖ ବାଲି ନରସିଂହ କହିଛନ୍ତି । ଏହାସହ ନବଙ୍କ ସମ୍ପର୍କରେ ଆଉ କୌଣସି କଥା କହିବି ନାହିଁ ବୋଲି କହିଛନ୍ତି ନରସିଂହ । ଏହାପୂର୍ବରୁ ନରସିଂହ, ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ନବ ଦାସଙ୍କ ଚରିତ୍ର ପ୍ରତି ସେ ଅଙ୍ଗୁଳି ଉଠାଇଥିବାର ଅଭିଯୋଗ ହୋଇଥିଲା ।

ନରସିଂହ କହିଥିଲେ ଯେ, ବ୍ୟକ୍ତିଗତ ଶତ୍ରୁତାରୁ ଷଡଯନ୍ତ୍ର କରି ଗୋପାଳ ମନ୍ତ୍ରୀଙ୍କୁ ମାରିଥାଇ ପାରେ  । ଏଥିସହ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇପାରେ ବୋଲି ସନ୍ଦେହ କରିଥିଲେ ନରସିଂହ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ନବଙ୍କ ଝିଅ ଦୀପାଳି ଦାସ । ସେ କହିଥିଲେ, ନରସିଂହଙ୍କ ବୟାନ ତାଙ୍କ ପରିବାରକୁ ଶକ୍ତ ଆଘାତ ଦେଇଛି । ତେଣୁ ଏଭଳି ଆପତ୍ତିଜନକ ଟିପଣୀ ନଦେବାକୁ ସେ ଅପିଲ କରିଥିଲେ । ଏଥିସହ ହତ୍ୟାକାଣ୍ଡକୁ ନେଇ ଯଦି ନରସିଂହଙ୍କ ପାଖରେ କିଛି ପ୍ରମାଣ ଅଛି ତାକୁ କୋର୍ଟରେ ଦେବାକୁ ଦିପାଳୀ ଆହ୍ୱାନ ଦେଇଥିଲେ ।