ଅଚଳ ସାଟେଲାଇଟକୁ ସଫଳତାର ସହ ପ୍ରଶାନ୍ତ ମହାସାଗରରେ ଖସାଇଲା ‘ଇସ୍ରୋ’

130

କନକ ବ୍ୟୁରୋ: ଅଭିଯାନ ଶେଷ କରି ଅଚଳ ହୋଇଯାଇଥିବା ଗୋଟାଏ ‘ସାଟେଲାଇଟ୍‌’କୁ ମଙ୍ଗଳବାର ଦିନ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ (ଇସ୍ରୋ) କକ୍ଷପଥରୁ ବିଚ୍ୟୁତ କରିବାରେ ସଫଳ ହୋଇଛି।

ସଂଗୃହୀତ ସୂଚନା ଅନୁସାରେ, ଅଚଳ ହୋଇଯାଇଥିବା ‘ମେଘା ଟ୍ରଫିକ୍ୟୁଜ୍‌-୧’ ନାମକ ଉକ୍ତ କୃତ୍ରିମ ଉପଗ୍ରହକୁ (ସାଟେଲାଇଟ୍‌) ତା’ର କକ୍ଷପଥରୁ ବିଚ୍ୟୁତ କରାଯାଇ ଖଣ୍ଡବିଖଣ୍ଡ କରାଯିବା ପରେ ପ୍ରଶାନ୍ତ ମହାସାଗର ଉପର ଆକାଶରେ ପୋଡ଼ିଦିଆଯାଇଛି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ‘ଇସ୍ରୋ’ ଲେଖିଛି, ୨୦୨୩ ମାର୍ଚ ୭ ତାରିଖ ଦିନ ‘ମେଘା-ଟ୍ରପିକ୍ୟୁଜ୍‌-୧’କୁ (ଏମ୍‌ଟି-୧) କକ୍ଷପଥରୁ ନିୟନ୍ତ୍ରଣ ସହକାରେ ଅପସାରଣ କରି ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରାଇବା ପରୀକ୍ଷା ସଫଳ ହୋଇଛି।

ସୂଚନା ମୁତାବକ,୨୦୧୧ ଅକ୍ଟୋବର ୧୨ ତାରିଖରେ ‘ମେଘା-ଟ୍ରପିକ୍ୟୁଜ୍‌-୧’କୁ ‘ଲୋ ଆର୍ଥ ଅର୍ବିଟ୍‌’ ମଧ୍ୟକୁ ଉତ୍‌କ୍ଷେପଣ କରାଯାଇଥିଲା। ଉଷ୍ମମଣ୍ଡଳୀୟ ପାଣିପାଗ ଓ ଜଳବାୟୁ ଉପରେ ଅଧ୍ୟୟନ କରିବା ଲାଗି ଏହା ଥିଲା ‘ଇସ୍ରୋ’ ଏବଂ ‘ଫ୍ରେଞ୍ଚ୍‌ ସ୍ପେସ୍‌ ଏଜେନ୍‌ସି’ର ମିଳିତ ଅଭିଯାନ। ଏହି ଅଭିଯାନ ୩ ବର୍ଷ ପାଇଁ ଚଳାଇବାକୁ ପ୍ରାରମ୍ଭିକ ଯୋଜନା କରାଯାଇଥିଲା। କିନ୍ତୁ, ଏହା ଦୀର୍ଘ ଏକ ଦଶନ୍ଧି ଧରି ଜଳବାୟୁ ସମ୍ବନ୍ଧରେ ଗରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଣ ଜାରି ରଖିଥିଲା।

ମାତ୍ର, ‘ୟୁନାଇଟେଡ୍‌ ନେସନ୍‌ସ୍‌ ଇଣ୍ଟର୍‌-ଏଜେନ୍‌ସି ସ୍ପେସ୍‌ ଡେବ୍ରିଜ୍‌ କୋଅର୍ଡିନେସନ୍‌ କମିଟି’କୁ (ୟୁଏନ୍‌ଆଇଏଡିସି) ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରି ଅଭିଯାନ ଶେଷ କରିଥିବା ଉକ୍ତ ‘ସାଟେଲାଇଟ୍‌’କୁ ‘ଇସ୍ରୋ’ ଧ୍ବଂସ କରିଛି। ଜାତିସଂଘ ‘ଗାଇଡ୍‌ଲାଇନ୍‌ସ୍‌’ ଅନୁସାରେ, କାର୍ୟ୍ୟକାଳ ଶେଷ ହୋଇଥିବା ସାଟେଲାଇଟ୍‌ ସବୁକୁ ନିୟନ୍ତ୍ରଣ ସହକାରେ ନିରାପଦ ଅଞ୍ଚଳ ଦେଖି ବାୟୁମଣ୍ଡଳକୁ ପୁନଃ ପ୍ରବେଶକରାଇ ନଷ୍ଟ କରିବା ଉଚିତ।

‘ଇସ୍ରୋ’ କହିଛି, ‘ମେଘା-ଟ୍ରପିକ୍ୟୁଜ୍‌-୧’ରେ ତଥାପି ୧୨୫ କିଲୋ ଇନ୍ଧନ ଥିଲା। ସେତକ ଇନ୍ଧନ ଉକ୍ତ ‘ସାଟେଲାଇଟ୍‌’କୁ ନିୟନ୍ତ୍ରଣ ସହକାରେ ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରାଇବା ପାଇଁ ଥିଲା ଯଥେଷ୍ଟ।