ୟୁକ୍ରେନ-ରୁଷିଆ ଯୁଦ୍ଧ ନେଇ ମୋଦୀଙ୍କ ବଡ ବୟାନ : କହିଲେ ଯୁଦ୍ଧରେ ସମସ୍ତଙ୍କର କ୍ଷତି, କେହି ବି ହେବେନି ବିଜୟୀ

152

କନକ ବ୍ୟୁରୋ : ୟୁକ୍ରେନ-ରୁଷିଆ ଯୁଦ୍ଧର ଘନଘଟା ମଧ୍ୟରେ ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜର୍ମାନୀରେ ଯୁଦ୍ଧ ସଂପର୍କରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଯୁଦ୍ଧରେ କାହାର ବିଜୟ ହେବନି, ସମସ୍ତଙ୍କର କ୍ଷତି ହେବ । ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଶାନ୍ତି ଉପରେ ପଡ଼ିଛି । ପ୍ରତ୍ୟେକ ଦେଶ ପରସ୍ପର ଉପରେ ନିର୍ଭରଶୀଳ, ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଯୁଦ୍ଧର ପ୍ରଥମ ଦିନରୁ ଭାରତ ଯୁଦ୍ଧ ବିରାମ ପାଇଁ କହିଆସିଛି । ଆଗକୁ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଅପିଲ୍ କରିବ ।

ରୁଷ ଓ ୟୁକ୍ରେନରେ ଯେଉଁ ମାନବୀୟ ସଂକଟ ଉପୁଜିଛି, ସେଥିପାଇଁ ଭାରତ ବିଶେଷ ଭାବେ ଚିନ୍ତିତ ରହିଛି । ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀର ଦର ସାରା ବିଶ୍ୱରେ ବଢି ଚାଲିଛି । ୟୁକ୍ରେନକୁ ଭାରତ ମାନବୀୟ ସହାୟତା ଯୋଗାଇ ଆସିଛି । ଏହା ଭବିଷ୍ୟତରେ ମଧ୍ୟ ଜାରି ରହିବ । ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଗସ୍ତ ମମୟରେ ଜର୍ମାନୀ ଓ ଭାରତ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଜର୍ମାନୀ ସମେତ ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ବେଳେ ମୋଦୀଙ୍କର ୨୫ଟି ବୈଠକ ରହିଥିବା ବେଳେ ୮ ୟୁରୋପୀୟ ନେତାଙ୍କୁ ଭେଟିବେ ।

ରାଜଧାନୀ ବର୍ଲିନରେ ପହଁଚିବା ପରେ ଭାରତୀୟ ସମୁଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସେଠାରେ ଉପସ୍ଥିତ କିଛି ଛୋଟ ପିଲାଙ୍କ ସହ କଥା ହୋଇଥିଲେ ମୋଦୀ । ଏକ ଛୋଟ ଝିଅ ନିଜେ ଆଙ୍କିଥିବା ତାଙ୍କର ଏକ ଛବି ମୋଦୀଙ୍କୁ ଉପହାର ଦେଇଥିଲେ । ସେହିପରି ଏକ ଛୋଟ ପିଲା ଦେଶାତ୍ମବୋଧ ଗୀତ ଗାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଗୀତରେ ତାଳ ମିଶାଇ ଗାଉଥିବାର ଦେଖିବାକୁ ମିଳିଥିଲା । ଯୁଦ୍ଧ ପରିସ୍ଥିତିରେ ମୋଦୀଙ୍କ ୟୁରୋପ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।