ପବିତ୍ର ଅକ୍ଷୟ ତୃତୀୟା : ଚାଷୀ କରିବେ ଅଖିମୁଠି ଅନୁକୂଳ; ରଥ ନିର୍ମାଣ ହେବ ଅନୁକୂଳ

ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ; ସେପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଗହଣା ଦୋକନାର ବିଶେଷ ରିହାତି

326

କନକ ବ୍ୟୁରୋ : ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମାଲକ୍ଷ୍ମୀ ପୂଜାର୍ଚନା ସହ ପ୍ରାର୍ଥନା କରନ୍ତି । ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ଆରମ୍ଭ ହୁଏ । ଏହାସହିତ ଆଜି ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଅନୁକୂଳ ହୁଏ । ଆଜି ଅପରାହ୍ନ ୪ଟାରେ ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାମ ଅନୁକୂଳ ହେବ ।

୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଚନ୍ଦନଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବେ । ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିବେ। । ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି। ତିନି ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି।

ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ବେଦଜ୍ଞ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ। ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ। ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଅଜ୍ଞାମାଳ ବିଜେ ପରେ ଛାମୁଣ୍ଡିଆ ଭିତରେ ରହିଥିବା ତିନି ରଥକାଠରେ ଲାଗି ହେବ। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନୋଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନି ଅସନ କାଠକୁ ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହେବେ। ସେହି ଅନୁଯାୟୀ ଶାଢ଼ୀ ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ।