ସୂର୍ଯ୍ୟପରାଗରେ ପାକ ନିଷେଧକୁ ନେଇ ଥମୁନି ବିବାଦ । ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଦେଲା ଓଡ଼ିଶା ବ୍ରାହ୍ମଣ ସମାଜ

71

କନକ ବ୍ୟୁରା: ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବାକୁ ବିରୋଧ କରିଛି ବ୍ରାହ୍ମଣ ସମାଜ । ହେତୁବାଦୀଙ୍କ ବିରୋଧରେ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା । ସୂର୍ଯ୍ୟପରାଗ ସମୟରେ ପାକତ୍ୟାଗ ସହ ଅନ୍ୟାନ୍ୟ ନୀତି ନିୟମ ଅନ୍ଧବିଶ୍ୱାସ ଏବଂ ବ୍ରାହ୍ମଣ, ଜ୍ୟୋତିଷମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ହେତୁବାଦୀ କହିବା ଫଳରେ ବ୍ରାହ୍ମଣ ସମାଜ ମର୍ମାହତ ବୋଲି ଏହି ଏତଲାରେ କୁହାଯାଇଛି । ତେଣୁ ହେତୁବାଦୀ ସମାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ବ୍ରାହ୍ମଣ ସମାଜ ।

ଗତକାଲି ବର୍ଷ ବର୍ଷ ଧରି ଚଳି ଆସୁଥିବା ପରମ୍ପରାକୁ ଭାଙ୍ଗି ହେତୁବାଦୀମାନେ ପରାଗରେ ରନ୍ଧା ଖାଦ୍ୟ ଖାଇଥିଲେ । ଭୁବନେଶ୍ୱର ପ୍ରେସ ଛକରେ ହେତୁବାଦୀମାନେ ନିଆରା ହୋଟେଲରେ ସାଧା ଓ ଚିକେନ ବିରିଆନି ରାନ୍ଧିବା ସହ ନିଜେ ଖାଇଥିଲେ ଓ ଅନ୍ୟମାନଙ୍କୁ ଖାଇବାକୁ ଦେଇଥିଲେ । ହେତୁବାଦୀ ଅର୍ଥାତ ରୁଢିବାଦକୁ ବିରୋଧ କରୁଥିବା ଲୋକ । ପରମ୍ପରା ନାଁରେ ଅନ୍ଧବିଶ୍ୱାସ ସୃଷ୍ଟି କରାଯାଉଥିବା କହି ଏମାନେ ବିଜ୍ଞାନ ସମ୍ମତ ହୋଇନଥିବା ବିଧି ବ୍ୟବସ୍ଥାକୁ ବିରୋଧ କରିଥାନ୍ତି । ତେଣୁ ସୂର୍ଯ୍ୟପରାଗ ସମୟରେ ହାଣ୍ଡିଛାଡ ଓ ପାକ ନିଷେଧ ପାଇଁ ଜ୍ୟୋତିର୍ବିଦମାନେ ଦେଇଥିବା ଆହ୍ୱାନକୁ ଏମାନେ ଖୋଲାଖୋଲି ଉଲ୍ଲଂଘନ କରିଥିଲେ ।

  • ପରାଗରେ ଚିକେନ୍ ବିରିୟାନି ଖାଇବାକୁ ବିରୋଧ
  • ହେତୁବାଦୀଙ୍କ ବିରୋଧରେ ବ୍ରାହ୍ମଣ ସମାଜର ଏତଲା

ଆଜି ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା । ଗତକାଲି ପରାଗ ଲାଗିଥିବାବେଳେ ହେତୁବାଦୀମାନେ ଚିକେନ ବିରିୟାନି ଖାଇ ହିନ୍ଦୁ ଧର୍ମ ଓ ପରମ୍ପରାକୁ ନିନ୍ଦା କରିଥିବା ଅଭିଯୋଗରେ ଏହି ଏତଲା ଦିଆଯାଇଛି । ସୂର୍ଯ୍ୟପରାଗ ସମୟରେ ପାକତ୍ୟାଗ ସହ ଅନ୍ୟାନ୍ୟ ନୀତି ନିୟମ ଅନ୍ଧବିଶ୍ୱାସ ଏବଂ ବ୍ରାହ୍ମଣ, ଜ୍ୟୋତିଷମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ହେତୁବାଦୀ କହିବା ଫଳରେ ବ୍ରାହ୍ମଣ ସମାଜ ମର୍ମାହତ ବୋଲି ଏହି ଏତଲାରେ କୁହାଯାଇଛି । ତେଣୁ ତୁରନ୍ତ ହେତୁବାଦୀ ସମାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ଓଡିଶା ବ୍ରାହ୍ମଣ ସମାଜ ।

ସମାନ ଢଙ୍ଗରେ ସୂର୍ଯ୍ୟପରାଗରେ ହେତୁବାଦୀମାନେ ରନ୍ଧା ଖାଦ୍ୟ ଖାଇବାକୁ ବିରୋଧ କରିଛି ଓଡିଶା ମନ୍ଦିର ସେବାୟତ ସଂଘ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ପରମ୍ପରାକୁ ଭାଙ୍ଗି ପରାଗ ସମୟରେ ଖାଇବାକୁ ନିନ୍ଦା କରିଛି ସଂଘ । ଏପରିକି ସେମାନଙ୍କୁ ଗୃହଭେଦୀ ବିଭିଷଣ ବୋଲି ସଂଘ ପକ୍ଷରୁ ଆଖ୍ୟା ଦିଆଯାଇଛି । ବାରମ୍ବାର ହିନ୍ଦୁ ଧର୍ମ ପ୍ରତି ଏଭଳି କୁଠାରଘାତକୁ ସଂଘ ସହ୍ୟ କରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପରମ୍ପରାକୁ ଭଙ୍ଗ କରୁଥିବା ଏଭଳି ବିଧର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ଓଡି଼ଶା ମନ୍ଦିର ସେବାୟତ ସଂଘ ।

ବିଶ୍ୱାସ ଓ ବିଜ୍ଞାନକୁ ନେଇ ସମାଜରେ ସବୁବେଳେ ଭିନ୍ନମତ ରହିଆସିଛି । ଗୋଟିଏ ଗୋଷ୍ଠୀ ବିଶ୍ୱାସ ଆଧାରରେ ବର୍ଷବର୍ଷ ଧରି ପରମ୍ପରାକୁ ପାଳନ କରିଆସୁଥିବାବେଳେ, ଆଉ ଗୋଟିଏ ଗୋଷ୍ଠୀ ପରମ୍ପରା ନାଁରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ ବୋଲି ଯୁକ୍ତି କରିଆସୁଛନ୍ତି । ଯାହା ଏଥର ସୂର୍ଯ୍ୟପରାଗରେ ଏକ ଭିନ୍ନ ରୂପନେଇ ସାମ୍ନାକୁ ଆସିଛି ।