ବୈଶାଖ ମାସରେ ପଖାଳ ଖାଆନ୍ତି ପ୍ରଭୁ ନୃସିଂହନାଥ: ଅକ୍ଷୟ ତୃତୀୟାଠାରୁ ୭ ଦିନ ଧରି ଲାଗି ହୁଏ ପଖାଳ

120

କନକ ବ୍ୟୁରୋ: ବୈଶାଖ ମାସରେ ପଖାଳ ଖାଆନ୍ତି ପ୍ରଭୁ ନୃସିଂହନାଥ । ଅକ୍ଷୟ ତୃତୀୟା ଠାରୁ ୭ ଦିନ ଧରି ପଖାଳ ଭୋଗ କରାଯାଏ । ବରଗଡ ଜିଲ୍ଲାର ନୃସିଂହନାଥଙ୍କ ଠାରେ ପଖାଳ ଭୋଗ ଲାଗି ହେବା ସହ ନିଶୁଳ୍କରେ ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି । ମହାପ୍ରଭୁ ନୃସିଂହନାଥଙ୍କ ପାଖରେ ଆଦିବାସୀ ଓ କନ୍ଧମାନେ ନାନା ପ୍ରକାରର ଫଳମୂଳ ଓ କନ୍ଦ ଭୋଗ ଅର୍ପଣ କରିଥାନ୍ତି । ହେଲେ ବୈଶାଖ ମାସରେ ପ୍ରବଳ ତାତିରୁ ତ୍ରାହି ପାଇଁ ମହାପ୍ରଭୁଙ୍କୁ ପାଖରେ ପଖାଳ ଭୋଗ କରାଯାଏ ।

ପ୍ରତି ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡିଆଙ୍କ ପ୍ରାଣକେନ୍ଦ୍ର ତଥା ଆରାଧ୍ୟ ଦେବତା ଜଗନ୍ନାଥ ବି ପଖାଳ ଲାଗି ହୁଏ । ରାତିରେ ମହାପ୍ରଭୁ ଶୋଇବା ଆଗରୁ ପଖାଳ ଖାଇଥାନ୍ତି । କେବଳ ଶ୍ରୀମନ୍ଦିର ନୁହେଁ ଗନ୍ଧମାର୍ଦ୍ଧନ ପର୍ବତ ପାଦଦେଶରେ ଥିବା ପ୍ରଭୁ ନୃସିଂହନାଥ ବି ପଖାଳ ଖାଇଥାନ୍ତି ।

ବୈଶାଖ ମାସରେ ମହାପ୍ରଭୁ ନୃସିଂହନାଥ ଓ ପାଶ୍ୱର୍ ଦେବାବେବୀଙ୍କ ପାଖରେ ପଖାଳ ଭୋଗ ଲାଗି କରାଯାଉଛି । ପ୍ରଭୁ ନୃସିଂହନାଥଙ୍କ ମୁଣ୍ଡରେ ଓଦା କପଡା ଏବଂ ଚନ୍ଦନ ଲେପନ କରାଯାଉଛି । ଅପରାହ୍ଣରେ ପାଖାଳ ଭୋଗ ହେଉଛି । ପଖାଳ ସାଙ୍ଗକୁ ଶାଗ ଓ ଡାଲି ଭୋଗ ଲାଗି କରାଯାଉଛି । ଅକ୍ଷୟ ତୃତୀୟା ଠାରୁ ସାତଦିନ ଧରି ଏହି ପଖାଳ ଭୋଗ ଅର୍ପଣ କରାଯିବାର ବିଧି ରହିଛି ।

ବରଗଡ ଜିଲ୍ଲାର ସଦର ମହକୁମା ଠାରୁ ୧୧୫ କିଲୋମିଟର ଏବଂ ପଦ୍ମପୁର ଠାରୁ ୩୫ କିଲୋମିଟର ଦୂରରେ ରହିଛି ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପର୍ବତ । ଆଉ ଏହି ପର୍ବତର ପାଦଦେଶର ସବୁଜ ବନାନୀ ଭିତରେ ରହିଛି ନୃସିଂହନାଥଙ୍କ ପୀଠ ।