କୋଟିଆରେ ଚେକ୍ ପୋଷ୍ଟ କଲା ଆନ୍ଧ୍ର ପୋଲିସ : ବନ୍ଦ କରିଦେଲେ ଓଡ଼ିଶାର ରାସ୍ତା କାମ

ବୁଲଡୋଜର ଡ୍ରାଇଭରଙ୍କୁ ତୁରନ୍ତ ସ୍ଥାନ ଛାଡିବାକୁ ଦେଲେ ଚେତାବନୀ; ଜାଣିଶୁଣି ଗାଡ଼ି ଅଟକାଇଥିବା ଅଭିଯୋଗ

87

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଦୋ-ମୁହାଁ ନୀତି ପୁଣି ସାମ୍ନାକୁ ଆସିଛି । ଓଡିଶା ଲୋକଙ୍କୁ ହଇରାଣ କରିବାକୁ କୋଟିଆରେ ଚେକପୋଷ୍ଟ କରିଛି ଆନ୍ଧ୍ରପ୍ରଦେଶ । ବର୍ଷ ଶେଷରେ ଆନ୍ଧ୍ରର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କୋଟିଆ ପଂଚାୟତର ନାରେଡିବାଲସାରେ ଚେକପୋଷ୍ଟ କରିଛି ଆନ୍ଧ୍ର । ପୂର୍ବରୁ ଓଡିଶା ପକ୍ଷରୁ ଏଭଳି ଚେକପୋଷ୍ଟ କରାଯାଇଥିଲା । ଏବେ ଆନ୍ଧ୍ର ବ୍ୟାରିକେଡ ଲଗାଇ ରାସ୍ତାକୁ ଆହୁରି ସଙ୍କୁଚିତ କରିଦେଇଛି ।

ଓଡିଶା ଭିତରେ ନିଜ ଆଇନ୍ ଲାଗୁ କରିବା ସହନଶୀଳତାର ସବୁ ସୀମା ଟପି ଯାଇଛି ଆନ୍ଧ୍ର । କୋଟିଆ ଗ୍ରାମପୁଂଜରେ ବିଭିନ୍ନ ପ୍ରକାର କାମ କରି ଦୁଇ ରାଜ୍ୟ ମଧ୍ୟରେ ଅଶାନ୍ତି ଓ ଅରାଜକତା ବାତାବରଣ ସୃଷ୍ଟି କରୁଛନ୍ତି ଅନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ । ଜଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ କିଛି ଦିନ ତଳେ କୋଟିଆରେ ସର୍ଭେ କରିବାକୁ ଆସିଥିଲେ ଆନ୍ଧ୍ର ଅଧିକାରୀଙ୍କ ସମେତ କିଛି ନାମୀ କମ୍ପାନୀ କର୍ତୃପକ୍ଷ । ପଟାଙ୍ଗୀ ବିଧାୟକ ଏହାକୁ ବିରୋଧ କରିବାରୁ ତାଙ୍କ ଯୋଜନା ପଣ୍ଡ ହୋଇଥିଲା । ଏବେ ପୁଣି କୋଟିଆରେ ମନମାନି କରୁଛି ଆନ୍ଧ୍ର । ନାରେଡିବାଲସାରେ ଚେକପୋଷ୍ଟ କରି ବ୍ୟାରିକେଡ୍ ଲଗାଇ ଓଡିଶା ରସ୍ତାକୁ ସଂକୁଚିତ କରୁଛି ।

ଆନ୍ଧ୍ର ପୁଲିସ ଗାଡି ଯାଂଚ କରୁଛି । ଆନ୍ଧ୍ର ନମ୍ବର ଥିବା ଗାଡିକୁ ବିନା ଯାଂଚରେ ଛାଡି ଦେଉଥିବା ବେଳେ ଓଡିଶା ନମ୍ବର ଥିବା ଗାଡିକୁ ପୁଲିସ ଜାଣିଶୁଣି ଅଟକାଇ, ସୀମାରେ ସ୍ଥିତି ବିଗାଡିବାକୁ ଚେଷ୍ଟା କରୁଛି । ସେହିଭଳି ଧୂଳିପଦରରେ ବି ପଶିଥିଲେ ଆନ୍ଧ୍ର ଅଧିକାରୀ । ସେଠାରେ ଓଡିଶା ସରକାରଙ୍କ ପକ୍ଷରୁ କରାଯାଉଥିବା ରାସ୍ତାକାମକୁ ଅଟକାଇ ଦେଇଛି ଆନ୍ଧ୍ର ପୁଲିସ । ରାସ୍ତାକାମରେ ଲାଗିଥିବା ବୁଲଡୋଜର ଗାଡିର ଡ୍ରାଇଭରଙ୍କୁ ଗିରଫ ଭୟ ଦେଖାଇ ପଡୋଶୀ ପୁଲିସ ସେଠାରୁ ବିଦା କରି ଦେଇଥିବା ଅଭିଯୋଗ ହୋଇଛି ।