ଦେଢବର୍ଷ ବୟସରେ ଚାଲିଯାଇଥିଲେ, ୨୫ ବର୍ଷ ପରେ ଖୋଜିପାଇଲେ ମାଆ…

186

କନକ ବ୍ୟୁରୋ:  ବେଳେ ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କେରଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଚକିତ କରିଛି । ଦେଢ ବର୍ଷ ବୟସରେ ହଜିଯାଇଥିବା ପୁଅ ୨୫ ବର୍ଷ ପରେ ନିଜ ମାଆକୁ ଭେଟିଛନ୍ତି । ନିଜେ ପୁଅ ମାଆକୁ ଖୋଜି ଖୋଜି ଗୁଜରାଟରୁ କେରଳରେ ପହଞ୍ଚିଥିଲା । ଗୋବିନ୍ଦ ଏଠାରେ କୋଟ୍ଟାୟମର କରୁକାଚଳ ପୋଲିସ ଅଧିକାରୀଙ୍କ ସାହାର୍ଯ୍ୟରେ ନିଜ ମାଆକୁ ଖୋଜି ପାଇଛନ୍ତି । ମାଆ ପୁଅଙ୍କ ଭେଟ ବେଳେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା ।

ଗୀତା ନାମ୍ନୀ ଏହି ମହିଳା ଜଣଙ୍କ କାମ ଅନ୍ୱେଷଣରେ ୩୦ ବର୍ଷ ତଳେ ଗୁଜରାଟ ଯାଇଥିଲେ । ସେଠାରେ ତାଙ୍କୁ ରାମ ଭାଇଙ୍କ ସହ ପ୍ରେମ ହୋଇଯାଇଥିଲା । ପରେ ସେମାନେ ବିବାହ କରିଥିଲେ । ରାମଭାଇ ଏବଂ ଗୀତାଙ୍କର ପୁଅ ଟିଏ ହୋଇଥିଲା ଯାହାର ନାମ ଗୋବିନ୍ଦ । ଗୋବିନ୍ଦ ଆଜି ନିଜ ମାଆଙ୍କୁ ଖୋଜି କେରଳରେ ପହଞ୍ଚିବା ସହ ମାଆଙ୍କୁ ଭେଟିଛନ୍ତି । ଗୋବିନ୍ଦର ଜନ୍ମ ପରେ ଗୀତା କେରଳ ଚାଲିଯାଇଥିଲେ ତେବେ ସେ ଯେତେବେଳେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ ସେତେବେଳେ ରାମ ଭାଇ ଗୋବିନ୍ଦଙ୍କୁ ନେଇ ଗୁଜରାଟ ଚାଲିଯାଇଥିଲେ । ସେଠାରେ  ରାମ ଭାଇ ମଧ୍ୟ ଦ୍ୱିତୀୟ ବିବାହ କରିଥିଲେ । ଗୋବିନ୍ଦଙ୍କ ଲାଳନପାଳନ ରାମ ଭାଇଙ୍କ ସମ୍ପର୍କୀୟ କରିଥିଲେ । କିଛି ବର୍ଷ ପରେ ଗୋବିନ୍ଦ ନିଜ ମାଆଙ୍କୁ ଖୋଜିବା ଆରମ୍ଭ କରିଥିଲେ । ପୋଲିସର ସହାୟତା ପରେ ସେ ନିଜ ମାଆ ଗୀତାଙ୍କୁ ଖୋଜି ପାଇଥିଲେ । ଥାନାରେ ପହଞ୍ଚିବା ପରେ ଦୀର୍ଘ ୨୫ ବର୍ଷ ପରେ ନିଜ ପୁଅ ଗୋବିନ୍ଦଙ୍କୁ ଭେଟିଥିଲେ ମାଆ ଗୀତା । ଗୀତା ବର୍ତ୍ତମାନ ପେଶାରେ ଜଣେ ଅଟୋଚାଳକ ।