ବିଧାନସଭାରେ ଗର୍ଜିଲେ ସିସୋଦିଆ । ବିରୋଧୀ ଦଳକୁ କହିଲେ ପିଲାଚୋର ପାର୍ଟି

154

କନକ ବ୍ୟୁରୋ : ଏବେ କିଛିଦିନ ହେବ ବିଜେପି ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଟିକେ ଥମିଥିବା ବେଳେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀର ଅବକାରୀ ନୀତିକୁ ନେଇ ଆମ୍ନା ସାମ୍ନା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର ଯାଂଚ କରାଯାଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ଗର୍ଜିଛନ୍ତି ସିସୋଦିଆ । ସେ କହିଛନ୍ତି କି ସର୍ବଦା ସତ୍ୟର ବିଜୟ ହୋଇଥାଏ । ଦିଲ୍ଲୀ ବିଧାନସଭା ଭିତରେ ସିସୋଦିଆ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ‘ପିଲା ଚୋର ପାର୍ଟିର ନେତାମାନେ ମୋତେ କାହିଁକି ଆଙ୍ଗୁଳି ଦେଖାଉଛନ୍ତି’ ।

ମନୀଷ ସିସୋଦିଆ ବିଜେପିକୁ ପିଲାଚୋର ପାର୍ଟି କହି ସାରିବା ପରେ ପୁଣି କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋ ଘରକୁ ପଠାଇଥିବା ସିବିଆଇକୁ କଣ ମିଳିଲା ତାହାର ଉତ୍ତର ରଖନ୍ତୁ । ସିସୋଦିଆ ଏଭଳି କହିବା ପରେ ବିଜେପି ବିଧାୟକମାନେ ଅଧ୍ୟକ୍ଷଙ୍କ ଚେୟାର ନିକଟକୁ ଆସି ବିରୋଧ କରିଥିଲେ । ଏହାକୁ ନେଇ ସିସୋଦିଆ କହିଛନ୍ତି ଯେ, ଆମ ତରଫରୁ ବିଜେପି ନେତାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସାରିଛୁ । ହେଲେ ସେମାନେ ସ୍ପଷ୍ଟ କରନ୍ତୁ ଯେ ଅବକାରୀ ନୀତିରୁ ମୁଁ (ସିସୋଦିଆ) କେତେ ଟଙ୍କା ଲାଂଚ ଖାଇଛି । କେବେ ବିଜେପି ନେତା କହୁଛନ୍ତି ୧୪୪ କୋଟିର ଦୁର୍ନୀତି ତ କେବେ ଲକ୍ଷେ କୋଟିର ପୁଣି କେବେ ୩୦ କୋଟିର । ସେମାନେ ପ୍ରଥମେ କେତେ ଟଙ୍କାର ଦୁର୍ନୀତି ହୋଇଛି ଅଭିଯୋଗ କଲେ ତାହାର ଉତ୍ତର ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।