କର୍ଣ୍ଣାଟକବାସୀଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା । ୨ ଶହ ୟୁନିଟ୍ ମାଗଣା ବିଜୁଳି, ଘରର ମହିଳା ମୁଖ୍ୟଙ୍କୁ ୨ ହଜାର ଲେଖାଏଁ ଟଙ୍କା । ବେରୋଜଗାର ଛାତ୍ରଙ୍କୁ ମିଳିବ ମାସିକ ଭତ୍ତା ।

143

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା କଂଗ୍ରେସ । ମଙ୍ଗଳବାର ଦଳପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସହିତ ଲୋକମାନଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ଏବଂ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରୈମୟା ଓ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଡି କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଏହି ଘୋଷଣା ପତ୍ର ଜାରି କରିଛି । ଏଥିରେ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଆସିଲେ, ୨ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇବ । ତା ସହିତ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଲେଖାଏଁ ଟଙ୍କା ଦେବ କଂଗ୍ରେସ ସରକାର ।

ଖାଲି ସେତିକି ନୁହେଁ, କଂଗ୍ରେସର ଘୋଷଣା ପତ୍ରରେ ବେରୋଜଗାର ସ୍ନାତକଙ୍କ କଥାକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସେମାନଙ୍କୁ ଦୁଇ ବର୍ଷ ପାଇଁ ମାସିକ ୩ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ସେହିପରି ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସିକ ଦେଢ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କୁହାଯାଇଛି । ତେବେ କେଏସଆରଟିସି ଏବଂ ବିଏମଟିସିରେ ସବୁ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା କରେଇବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ଦଳ ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦଳ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ୧୫ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରିବ । ସେହିପରି ଅନୁସୂଚିତ ଜନଜାତି ପାଇଁ ଥିବା ସଂରକ୍ଷଣକୁ ୩ରୁ ୭ ପ୍ରତିଶତକୁ ଏବଂ ଅଳ୍ପସଂଖ୍ୟକଙ୍କ ପାଇଁ ଥିବା ସଂରକ୍ଷଣକୁ ୪ ପ୍ରତିଶତ କରିବାକୁ କଂଗ୍ରେସ ନିଜର ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି ।

କଂଗ୍ରେସ ତରଫରୁ ଘୋଷଣାପତ୍ର ଜାରି କରାଯିବା ସହିତ କୁହାଯାଇଛି ଯେ, ଆମେ ଆଇନ୍ ଏବଂ ସମ୍ବିଧାନକୁ ପବିତ୍ର ମାନୁଛୁ । ତେବେ ବିଭିନ୍ନ ସମୁଦାୟ ଭିତରେ ଘୃଣା ବଡାଇବା ପାଇଁ ସମ୍ବିଧାନ ଓ ଆଇନର ଉଲ୍ଲଙ୍ଘନ କରିବାକୁ ଦିଆଯିବନି ବୋଲି କଂଗ୍ରେସ କହିଛି । ସୂଚନାଯୋଗ୍ୟ ଯେ, ସୋମବାର ନିର୍ବାଚନୀ ଇସ୍ତାହାର ଜାରି କରିଥିଲା ବିଜେପି । ସବୁବର୍ଗଙ୍କୁ ଦୃଷ୍ଟିରେ ରଖି ବିଜେପି କରିଛି ପ୍ରତିଶୁତି ବର୍ଷା । ମାଗଣା କ୍ଷୀରଠୁ ମାଗଣା ଗ୍ୟାସ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଛି ଦଳ । ଏଥିସହ ମହିଳା ସଂଶକ୍ତିକରଣ ଓ ଯୁବ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ବିଜେପି । ତେବେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମେ ୧୦ରେ ପଡିବ ଭୋଟ, ୧୩ ବାହାରିବ ଫଳାଫଳ ।