ୟୁଏନଏସସି ବୈଠକରେ ଆତଙ୍କବାଦକୁ ନେଇ କଡା ଆଭିମୁଖ୍ୟ ସ୍ପଷ୍ଟକଲେ ଏସ୍ ଜୟଶଂକର, କହିଲେ ସୋସିଆଲ ମିଡିଆକୁ ହତିଆର କରୁଛନ୍ତି ଆତଙ୍କବାଦୀ

59

କନକ ବ୍ୟୁରୋ : ମାନବଜାତି ପାଇଁ ଆତଙ୍କବାଦ ସବୁଠୁ ବଡ ବିପଦ । ଏସିଆ ଓ ଆଫ୍ରିକାରେ ବଢୁଛି ଆତଙ୍କବାଦୀ କାର୍ଯ୍ୟକଳାପ । ସୋସିଆଲ ମିଡିଆକୁ ହତିଆର କରୁଛନ୍ତି ଆତଙ୍କବାଦୀ । ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ବାହାର କରିବା ପରେ ଆତଙ୍କବାଦ କାର୍ଯ୍ୟକଳା ବୃଦ୍ଧି ପାଇଛି । ୟୁଏନଏସସି ବୈଠକରେ ଏଭଳି କିଛି ପ୍ରସଙ୍ଗ ଉଠାଇ ଚିନ୍ତା ପ୍ରକଟ କରିଛି ଭାରତ । ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଓ ଚୀନ ଉପରେ ବର୍ଷିଛନ୍ତି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ ସମ୍ମିଳନୀରେ ଏଭଳି କିଛି କଥା କହି ଚିନ୍ତା ପ୍ରକଟ କରିଛି ଭାରତ । ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଆତଙ୍କବାଦ କେବଳ କିଛି ନିଦ୍ଧିଷ୍ଟ ଦେଶମାନଙ୍କ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ବଡ ବିପଦ । ବୈଦେଶିକମନ୍ତ୍ରୀ ଚୀନ ଓ ପାକିସ୍ତାନକୁ ଟାର୍ଗେଟ କରି ଏକଥା ମଧ୍ୟ କହିଛନ୍ତି କି ମିଳିତ ଜାତିସଂଘ ଆତଙ୍କବାଦୀଙ୍କ ଉପରେ ରୋକ ଲଗାଇବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ରାଷ୍ଟ୍ରମାନଙ୍କର ଦୋମୁହାଁ ନୀତି ପାଇଁ ଏହା ସମ୍ପୂର୍ଣ୍ଣଭାବେ ସଫଳ ହୋଇପାରୁନି । ସମ୍ମିଳନୀରେ ଜୟଶଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋକପାତ କରିଛନ୍ତି ।

ଆତଙ୍କବାଦ ଉପରେ ବର୍ଷିଲେ ବୈଦେଶିକମନ୍ତ୍ରୀ:

• ଅତ୍ୟାଧୁନିକ ହତିଆର ଓ ଡ୍ରୋନ୍ ବ୍ୟବହାର କଲେଣି ଆତଙ୍କବାଦୀ
• ନିଜର କ୍ଷମତା ବୃଦ୍ଧି କରୁଛନ୍ତି ଆତଙ୍କବାଦୀ
• ପାକିସ୍ତାନ କରୁଛି ଟେରର ଫଣ୍ଡିଙ୍ଗ୍
• ସୋସିଆଲ ମିଡିଆକୁ ହତିଆର କରିଛି ଆତଙ୍କୀ ସଂଗଠନ
• କ୍ରମଶ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି
• ଏସିଆ-ଆଫ୍ରିକାରେ ସବୁଠୁ ଅଧିକ ଆତଙ୍କ କାର୍ଯ୍ୟକଳାପ ବୃଦ୍ଧି ହେଉଛି
• ପାକିସ୍ତାନ ଗ୍ରେ ଲିଷ୍ଟରୁ ବାହାରିବା ପରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ଆଶଙ୍କା
• ଚୀନ ଓ ପାକର ଦୋମୁହାଁ ନୀତି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି

ଭାରତୀୟ ବୈଦେଶିକମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି କି ଆତଙ୍କବାଦ ବିରୋଧୀ ଲଢେଇରେ ସବୁ ରାଷ୍ଟ୍ରଙ୍କୁ ଏକାଠି ହେବାକୁ ପଡିବ । ଏମାନଙ୍କ ବିରୋଧରେ ଲଢେଇ ସବୁ ଦେଶମାନଙ୍କ ପାଇଁ ପ୍ରାଥମିକତା ହେବା ଉଚିତ । ପାକିସ୍ତାନ ସହ ଚୀନକୁ ପରୋକ୍ଷ ଭାବେ ଭାରତ ସମାଲୋଚନା କରିଛି । ମିଳିତ ଜାତିସଂଘ କିଛି କୁଖ୍ୟାତ ଆତଙ୍କବାଦୀଙ୍କୁ ବ୍ଲାକଲିଷ୍ଟ ଓ ଅର୍ନ୍ତଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ଯୋଜନା କରୁଛି କିନ୍ତୁ କିଛି ରାଷ୍ଟ୍ର ଏଥିରେ ପ୍ରତିବନ୍ଧକ ସାଜୁଥିବା କହିଛି ଭାରତ ।

ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସମ୍ମିଳନୀରେ ବଡ ଘୋଷଣା କରିଛି ଭାରତ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ଭିତରେ କାଉଁଟର ଟେରୋରିଜିମ କମିଟି ସମ୍ମିଳନୀ ଦୁଇଦିନ ଧରି ଚାଲିବା ପରେ ଶନିବାର ଶେଷ ହୋଇଛି । ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ୟୁଏନକୁ ଭାରତ ୫ଲକ୍ଷ ଡଲାର ଆର୍ଥିକ ସହାୟତା ଦେବ ବୋଲି ଘୋଷଣା କରିଛି ।

ଭାରତ ପ୍ରଥମ ଥର ପାଇଁ ମିଳିତ ଜାତିସଂଘର ଆତଙ୍କବାଦ ନିରୋଧୀ ସମ୍ମିଳନୀର ଆୟୋଜନ କରିଛି । ସମ୍ମିଳନୀରେ ବିଭିନ୍ନ ଦେଶର ବୈଦେଶିକ ଓ ପ୍ରତିରକ୍ଷାମନ୍ତ୍ରୀ ଯୋଗ ଦେଇ ଆତଙ୍କବାଦ ବିରୋଧୀ ଲଢେଇରେ ନିଜ ସହମତି ପ୍ରକାଶ କରିଛନ୍ତି ।