ନବମ ଶ୍ରେଣୀ ସମେଟିଭ-୧ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ: କିଏ କରିଲା ଲିକ୍?

339

କନକ ବ୍ୟୁରୋ: ୟୁଟ୍ୟୁବରେ ଏକ ଭିଡିଓ ଅପଲୋଡ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ପ୍ରଶ୍ନ ଗୁଡିକ ଦେଖାଉଛନ୍ତି ଓ ଏହି ପ୍ରଶ୍ନର ଉତ୍ତର କଣ ତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି । ଏହା କୌଣସି ଅନଲାଇନ୍ କ୍ଲାସ ନୁହେଁ , ଏହା ହେଉଛି ସମଗ୍ର ରାଜ୍ୟରେ ଚାଲିଥିବା ନବମ ଶ୍ରେଣୀ ସମ୍ମେଟିଭ ୧ ପରୀକ୍ଷାର ପ୍ରଶ୍ନ ଏବଂ ତାର ଉତ୍ତର । ପରୀକ୍ଷା ପରେ ନୁହେଁ ବରଂ ପରୀକ୍ଷାର ଯଥେଷ୍ଟ ସମୟ ପୂର୍ବରୁ ଏହି ଭିଡିଓ ୟୁଟ୍ୟୁବରେ ଅପଲୋଡ କରାଯାଇଛି ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଏ ବଷୟରେ ବିଭାଗ ଅବଗତ ଅଛି । ପ୍ରଶ୍ନପତ୍ର କେମିତି ଓ କେଉଁଠାରୁ ଲିକ୍ ହେଲା ତଦନ୍ତ କରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଚାଲିଛି ନବମ ଶ୍ରେଣୀର ସମ୍ମେଟିଭ ୧ ପରୀକ୍ଷା । ବିଡମ୍ବନାର ବିଷୟ ହେଉଛି ପରୀକ୍ଷା ଦେବା ପୂର୍ବରୁ ପ୍ରଶପତ୍ର ସହ ଉତ୍ତରର ସମ୍ମୂର୍ଣ୍ଣ ବିବରଣୀ ସୋସିଆଲ ମିଡିଆରେ ଉପଲବ୍ଧ ହୋଇଯାଉଛି । ଗୋଟିଏ ପରୀକ୍ଷା ନୁହେଁ ଓଡିଆ, ଇଂରାଜୀ, ହିନ୍ଦୀ /ସଂସ୍କୃତ ଏମିତି ୩ଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇସାରିଛି । ପରୀକ୍ଷା ଦେଲାବେଳକୁ ଭାଇରାଲ ହେଉଥିବା ଭିଡିଓର ପ୍ରଶ୍ନ ଓ ବୋର୍ଡ ଦ୍ୱାରା ଦିଆଯାଇଥିବା ପ୍ରଶ୍ନ ମେଳ ଖାଉଥିବା ଦେଖିବାକୁ ମିଳିଛି ।

ଏଠାରେ ପ୍ରଶ୍ନ ଉଠୁଛି
ପରୀକ୍ଷା ପୂର୍ବରୁ କେମିତି ଲିକ୍ ହେଲା ପ୍ରଶ୍ନ ପତ୍ର?
ପ୍ରଶ୍ନପତ୍ର ଲିକ୍ ପଛରେ କାହାର ହାତ?
ସୋସିଆଲ ମିଡିଆରେ ଏହାକୁ କିଏ କରୁଛି ଭାଇରାଲ?

ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବୋର୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏକ ସ୍ୱତନ୍ତ୍ର ଟିମ୍କୁ ଏହାର ଯାଂଚ ଦାୟିତ୍ୱ ଦିଆଯାଇଛି । ଏହି ଟିମ ନୋଡାଲ ସେଂଟର ଓ ସ୍କୁଲ ଯାଇ ଏହାର ତଦନ୍ତ କରିବେ ।