ଟିମ୍ ଇଣ୍ଡିଆ ଆଗରେ, ପାକିସ୍ତାନ ପଛରେ । ଏସିଆ କପ୍ ରେକର୍ଡ ବୁକରେ ସବୁବେଳେ ପାକିସ୍ତାନଠୁ ଆଗରେ ଭାରତ । ପଢନ୍ତୁ, କଣ ରହିଛି ରେକର୍ଡ…

111

କନକ ବ୍ୟୁରୋ: ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକ୍ । ସନ୍ଧ୍ୟା ସାଢେ ୭ଟାରେ ଦୁଇ ଦଳ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ । ତେବେ ଏସିଆ କପ୍ ଇତିହାସ ଓଲଟେଇ ଦେଖିଲେ ଜଣାପଡିବ ଯେ, ପାକିସ୍ତାନ ଟିମଠାରୁ ସବୁଥିରେ ଆଗରେ ରହିଛି ଟିମ୍ ଇଣ୍ଡିଆ । ତେଣୁ ଆଜି ପଡିଆ ମଝିରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଦର୍ଶକମାନେ ଆଶା ବାନ୍ଧି ବସିଛନ୍ତି ।

ସବୁଠୁ ପ୍ରଥମେ ୧୯୮୪ ମସିହାରେ ଏସିଆ କପ୍ ଆୟୋଜିତ ହୋଇଥିଲା । ୧୪ଟି ସିଜିନ୍ ଭିତରୁ ଭାରତ ଏସିଆ କପରେ ୭ ଥର ଚାମ୍ପିୟନ ହେଇଛି । ତେବେ ପାକିସ୍ତାନ କଥା କହିବା ଯଦି, ପାକିସ୍ତାନର ସ୍ଥିତି ଶ୍ରୀଲଙ୍କାଠୁ ଦୟନୀୟ । ଶ୍ରୀଲଙ୍କା ସର୍ବମୋଟ ୫ ଥର ଏସିଆ କପକୁ ନିଜ ନାଁରେ ନାମିତ କରିଥିବାବେଳେ, ପାକିସ୍ତାନ କେବଳ ୨ ଥର ଏସିଆ କପ୍ ଚାମ୍ପିୟନ ହେଇଛି ।

ଚଳିତବର୍ଷ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯାଉଛି । ତେବେ ଟି-୨୦ ଫର୍ମାଟରେ ଭାରତ ବ୍ୟତୀତ ଅନ୍ୟ କୌଣସି ଦଳ ଏପର୍ଯ୍ୟନ୍ତ ଏସିଆ କପ୍ ଚାମ୍ପିୟନ ହୋଇପାରିନାହାଁନ୍ତି । ଶେଷ ଥର ପାଇଁ ଭାରତ ହିଁ ଟି-୨୦ ଫର୍ମାଟରେ ଏସିଆ କପ୍ ଚାମ୍ପିୟନ ହେଇଥିଲା । ଚଳିତ ଥର ୬ଟି ଏସୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବାବେଳେ, କେଉଁ ନୂଆ କରି ଏହି ଫର୍ମାଟରେ ଚାମ୍ପିୟନ ହେଉଛି, ନା ଭାରତ ପୁଣି ଥରେ କପକୁ ନିଜ ନାଁରେ କରୁଛି ତାହା ଦେଖିବା ବାକି ରହିଲା ।

ଏସିଆ କପରେ ଭାରତ-ପାକ୍ ମୋଟ ୧୪ ଥର ମୁହାଁମୁହିଁ ହେଇଛନ୍ତି । ଯା ଭିତରୁ ଭାରତ ୮ଟି ମ୍ୟାଚରେ ଜିତାପଟ ହାସଲ କରିଥିବାବେଳେ, ପାକିସ୍ତାନ ୫ଟି ମ୍ୟାଚରେ ବିଜୟୀ ହୋଇପାରିଛି । ବାକି ଥିବା ୧ଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହେଇଛି । ତେଣୁ ଏସିଆ କପ୍ ଇତିହାସରେ ଭାରତ-ପାକିସ୍ତାନ ଭିତରୁ ଟିମ୍ ଇଣ୍ଡିଆ ହିଁ ସବୁବେଳେ ଫେଭରିଟ୍ ରହିଆସିଛି ।

ସେହିଭଳି ବ୍ୟାଟିଂ ଏବଂ ବୋଲିଂ କଥା ଯଦି କହିବା, ତେବେ ଏସିଆ କପରେ ସବୁଠୁ ଅଧିକ ରନ୍ କରିଥିବା ଖେଳାଳିଙ୍କ ଭିତରେ ଦୁଇ ଜଣ ଭାରତୀୟ ଖେଳାଳି ରହିଛନ୍ତି । ଏହି ଦୁଇ ଖେଳାଳି ଚଳିତ ସଂସ୍କରଣରେ ମଧ୍ୟ ଟିମ୍ ସହିତ ଅଛନ୍ତି । ଏହି ଦୁଇ ଖେଳାଳି ହେଲେ ବିରାଟ କୋହଲି, ଓ ରୋହିତ ଶର୍ମା । ତେଣୁ ଚଳିତ ସଂସ୍କରଣରେ ମଧ୍ୟ ରୋହିତ ଓ ବିରାଟ ଯୋଡି ଏସିଆ କପରେ ଭଲ ପ୍ରଦର୍ଶନ କରିବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଇଂନିସ ଖେଳିବେ ବୋଲି ଆଶା କରାଯାଉଛି ।