ଟ୍ୱିନ୍ ଟାୱାର ଭାଙ୍ଗିବା ପରେ ଅଳିଆ ହଟାଇବାକୁ ଲାଗିବ ୩ ମାସ । ଜାଣନ୍ତୁ ବିସ୍ଫୋରଣ ପରେ କଣ ରହିଛି ପ୍ରଶାସନ ପାଇଁ ଚ୍ୟାଲେଞ୍ଜ

1,054

କନକ ବ୍ୟୁରୋ : ନୋଏଡା ସେକ୍ଟର ୯୩(ଏ) ରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଟ୍ୱିନ୍ ଟାୱାର ଆଜି ଅପରାହ୍ନରେ ମାଟିରେ ମିଶିବ । ଏହି ଟାୱାରକୁ ଧ୍ୱଂସ କରିବାକୁ ଟାୱାର ମଧ୍ୟରେ ୯,୬୪୦ ଟି କଣା କରାଯାଇଥିବା ବେଳେ ସେହି କଣା ବା ଗାତ ମଧ୍ୟରେ ୩୭୦୦ କିଲୋଗ୍ରାମ ବାରୁଦ ଭରା ଯାଇଛି । ଦେଶରେ ପ୍ରଥମଥର ପାଇଁ ଏଭଳି ବିଶାଳକାୟ ଟାୱାର ଧ୍ୱଂସ କରାଯିବ   । ଏହାକୁ ନେଇ ଏବେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତାହା ମଧ୍ୟରେ ଟାୱାର ଧ୍ୱଂସ ପରେ ସେଠାରେ ଯେତେ ଅଳିଆ ପଡିବ ତାହାକୁ ପ୍ରଶାସନ କଣ କରିବ । ଏହି ଟାୱାରକୁ ଭାଙ୍ଗିବାକୁ କେତେ ସମୟ ଲାଗିବ ? ଏହାସହ ବିସ୍ଫୋରଣ ଫଳରେ ସୃଷ୍ଟି ହେବାକୁ ଥିବା ବାୟୁ ପ୍ରଦୂଷଣକୁ କିଭଳି ମ୍ୟାନେଜ କରିବ ପ୍ରଶାସନ ?

କିଛି ସୂଚନା ମୁତାବକ ଟ୍ୱିନ ଟାୱାର ଭଙ୍ଗାଯିବା ପରେ ସେଠାରେ ୫୫ ହଜାରରୁ ୮୦ ହଜାର ଟନ୍ ପର୍ଯ୍ୟନ୍ତ ଅଳିଆ ବାହାରିବ । ଏହାକୁ ସ୍ଥାନାନ୍ତର କିରବାକୁ ପ୍ରଶାସନକୁ ସର୍ବନିମ୍ନ ୩ ମାସ ଲାଗିବ    । ଏହି ବିସ୍ଫୋରଣ ବେଳେ କଂକ୍ରିଟରୁ ଯେଉଁ ଧୂଳି ଉଡିବ ତାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ହେବ । ଏଥିରୁ ରକ୍ଷା ପାଇବାକୁ ନୋଇଡା ପ୍ରାଧିକରଣ ଦ୍ୱାରା ଅନେକ ବ୍ୟବସ୍ଥା କରାଯାଇଛି ।

ନୋଏଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିବ ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା ହୋଇଛି । ଏହାସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ସେପଟେ ବାୟୁ ପ୍ରଦୂଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।