ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ : ତୃତୀୟ ଦିନରେ ନୟାପଲ୍ଲୀ ମୁଖ୍ୟ ଅଫିସ ସମେତ ବିଭିନ୍ନ ସ୍ଥାନରେ ରେଡ୍

161

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ବି ଚାଲିଛି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ । ନୟାପଲ୍ଲୀ ମୁଖ୍ୟ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରାଯାଉଛି । ଚଢାଉ ବେଳେ ଜବତ ହୋଇଥିବା କାଗଜପତ୍ରକୁ ନେଇ ଛାନ୍ଭିନ୍ କରାଯାଉଛି । ସେହିପରି ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସରେ ପଚରାଉଚରା କରାଯାଉଛି । ଗତକାଲି ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଆୟକର ବିଭାଗର ଅଧିକାରୀଙ୍କ ଦ୍ୱାରା ଜବତ ହୋଇଥିଲା ।

ସମ୍ପୃକ୍ତ ଅଧିକାରୀଙ୍କୁ ହେପାଜତକୁ ନେଇ ଆୟକର ବିଭାଗ ପଚରାଉଚରା ଜାରି ରଖିଛି । ସେହିପରି ତ୍ରିଶୁଳିଆ ଡିଏନ୍ ଗ୍ରୁପର ଟୁଇନସିଟି ପ୍ରୋଜେକ୍ଟର ଏକ ଫ୍ଲାଟରୁ ମଧ୍ୟ ବିପୁଳ ଟଙ୍କା ମିଳିଛି । ବୁଧବାର ଓ ଗୁରୁବାର ଜବତ କରାଯାଇଥିବା କୋଟି କୋଟି ଟଙ୍କାକୁ ୟୁନିଟ-୧ ସ୍ଥିତ ଏସବିଆଇ ଶାଖାକୁ ନିଆଯାଇ ଆୟକର ଅଧିକାରୀ ଓ ଡିଏନ ଗ୍ରୁପ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି କରାଯାଇଛି । କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗଣତି ଓ ହିସାବ ଚାଲିଥିବା ସୂଚନା ମିଳିଛି । ସଂସ୍ଥା କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ ।