ଲକ୍ଷେ ଟଙ୍କିଆ ଚାକିରି ଛାଡି ସ୍ୱାମୀ ଘର ସମ୍ଭାଳିଲେ । ସ୍ତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ହୋଇଗଲେ ‘ହାଉସ୍ ହଜବ୍ୟାଣ୍ଡ’

748

କନକ ବ୍ୟୁରୋ: ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ ପରିବାରରେ ପୁରୁଷ, ମହିଳାଙ୍କ ଭିତରେ ପାର୍ଥକ୍ୟ ମପା ଯାଉଥିବାବେଳେ ‘ପୁରୁଷ ମହିଳା ସମାନ’ ବୋଲି ଯାହା ଖାଲି କଥାରେ ରହିଯାଇଛି । ହେଲେ ଏହାକୁ ଅକ୍ଷରେ ଅକ୍ଷରେ ସତ କରିଦେଖାଇଛନ୍ତି ହରିୟାଣା ରୋହତକର ବ୍ୟକ୍ତି ସୁମିତ ଭାଲୋଠିଆ ।

ସ୍ତ୍ରୀଙ୍କର ବିବାହ ପୂର୍ବରୁ ଇଚ୍ଛା ଥିଲା ସେ ଜଜ୍ ହେବେ । ହେଲେ ବିବାହ ପରେ ପିଲାଛୁଆ ସଂସାର ଜଞ୍ଜାଳରେ ଫଶିଗଲେ । ସ୍ୱାମାଙ୍କର ଉଚ୍ଚ ପଦବୀ ଚାକିରିିି ଥିବାବେଳେ ତାଙ୍କ ଇଚ୍ଛାକୁ କେହି ନଜର ଦେଇନଥିଲେ । ହେଲେ ଏହାକୁ ଗୁରୁତ୍ୱ ଦେଇଥିଲେ ସ୍ୱାମୀ ସୁମିତ । ସ୍ତ୍ରୀ ଯେ କେବଳ ଚାରି କାନ୍ଥ ଭିତରେ ସୀମିତ ନୁହେଁ । ତାଙ୍କ ଇଚ୍ଛା ବି ପୂରଣ ହେବା ଉଚିତ ଏହାକୁ ଅନୁଭବ କରିପାରିଥିଲେ ସୁମିତ । ତେଣୁ ସ୍ତ୍ରୀଙ୍କର ଜଜ୍ ହେବା ଇଚ୍ଛା ପୂରଣ କରିବାକୁ ନିଷ୍ପତ୍ତି ନେଲେ ।

ଏଥିପାଇଁ ନିଜର ଲକ୍ଷେ ଟଙ୍କିଆ ଚାକିରିକୁ ଛାଡିଦେଇ ଘର ସମ୍ଭାଳିବାକୁ ନିଷ୍ପତ୍ତି ନେଲେ ସୁମିତ । ପ୍ରଥମେ ଏହାକୁ ସାଙ୍ଗ ସାଥୀ, ସମ୍ପର୍କୀୟ ସମସ୍ତେ ବାରଣ କରିଥିଲେ । ହେଲେ ନିଜ ନିଷ୍ପତ୍ତିରେ ଅଟଳ ସୁମିତ ସ୍ତ୍ରୀ ମଞ୍ଜୁଳାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଚାକିରି ଛାଡିଲେ । ପିଲାଙ୍କ କାମ କରିବା ଠାରୁ ଆରମ୍ଭ କରି ରୋଷେଇ କରିବା, ଘର ଲୋକଙ୍କ ସେବା ଶୁଶୃସା କରିବା ସବୁକିଛି କଲେ ସୁମିତ । ଆଉ ସ୍ତ୍ରୀଙ୍କୁ କେବଳ ନିଜ ପଢାରେ ଓ ଆଇନ ପରୀକ୍ଷାରେ ମନୋନିବେଶ କରିବାକୁ କହିଲେ ।

ହେଲେ ପତ୍ନୀ ମଞ୍ଜୁଳା ପଢିବା ସହ ଘର ପାଇଁ ପାର୍ଟ ଟାଇମ୍ ଜବ୍ କଲେ । ପ୍ରଥମ ଦୁଇଥର ପ୍ରଚେଷ୍ଟାରେ ମଞ୍ଜୁଳାଙ୍କୁ ବିଫଳ ହେବାକୁ ପଡିଥିଲା । ତଥାପି ତାଙ୍କୁ ଧୈର୍ଯ୍ୟ ଦେଇଥିଲେ ସ୍ୱାମୀ ସୁମିତ । ଆଉ ତୃତୀୟ ଥର ଆଇନ ପରୀକ୍ଷାର ଫଳ ବାହାରିବା ବେଳକୁ ଘରକୁ ରେଜଲ୍ଟ ନେଇ ଆସିଥିଲେ ସୁମିତ । କିଛି ସମୟ ପରସ୍ପରକୁ ଚାହିିଁବା ପରେ ମଞ୍ଜୁଳା ଭାବିଲେ ଏଥର ବି ସେ ବିଫଳ ହୋଇଛନ୍ତି । କିନ୍ତୁ ହଠାତ୍ ସୁମିତ ୍ ଖୁସିରେ ଚିକ୍ରାର କରିଥିଲେ । କାରଣ ତୃତୀୟ ପ୍ରଚେଷ୍ଟାରେ ରାଜ୍ୟ ଜୁଡିସିଆଲ ପରୀକ୍ଷାରେ ପତ୍ନୀ ମଞ୍ଜୁଳା ଟପ୍ପର ହୋଇଥିଲେ । ଦୁହିଁଙ୍କ ଆଖିରୁ ଖୁସିର ଲୁହ ଝରିଆସିଥିଲା ।

ସୁମିତଙ୍କର ଏପରି ବଳିଦାନ ସାରା ସମାଜକୁ ଏକ ବଳିଷ୍ଠ ବାର୍ତ୍ତା ଦେଇଛି । ପୁରୁଷ , ନାରୀ କାନ୍ଧରେ କାନ୍ଧ ମିଶାଇ ବାଟ ଚାଲିଲେ କିଛି ବି ସମ୍ଭବ ହୋଇପାରେ, ସଫଳତା ନିଶ୍ଚିତ ମିଳିପାରେ ବୋଲି ସୁମିତ ବାର୍ତ୍ତା ଦେଇଛନ୍ତି ।