ମୁଖ୍ୟମନ୍ତ୍ରୀ କାମ କରନ୍ତି, କାମର ହିସାବ ଦିଅନ୍ତି । ବିରୋଧୀଙ୍କର ନିର୍ବାଚନ ବେଳେ ଲୋକଙ୍କ କଥା ମନେପଡେ । ଯଶୀପୁରରୁ ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ ।

97

କନକ ବ୍ୟୁରୋ : ମୟୂରଭଞ୍ଜର ଯଶିପୁରରେ ପ୍ରଚାର କରିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ଜନସଭାରେ ନିଜ ଅଭିଭାଷଣ ଆରମ୍ଭରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ । ଯଶିପୁର ଲୋକଙ୍କୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ନିର୍ବାଚନ ସମୟରେ ଅନେକ ନେତା ଆସନ୍ତି । ନିର୍ବାଚନ ସମୟରେ ସେମାନଙ୍କର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ମନେ ପଡେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଏଠାକୁ ଅନେକ ଥର ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ହିଁ ଲୋକଙ୍କୁ କାମର ହିସାବ ଦିଅନ୍ତି । ବିଭିନ୍ନ ବିକାଶମୂଳକ କାମର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ଆପଣଙ୍କର କଳା, ସଂସ୍କୃତି ଓ ଭାଷାର ରକ୍ଷାଣବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ଦେଇଛନ୍ତି । ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ କାମ କରିଛନ୍ତି ।

ଆଦିବାସୀ ଭାଇ ଭଉଣୀଙ୍କ ଉପରେ ଥିବା ୫୦ ହଜାର ମାମଲାକୁ ରଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲଜାତ ଦ୍ରବ୍ୟ ଉପରେ ସଠିକ୍ ଦାମ ଦେବାକୁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା କରିଛନ୍ତି । ଯେଉଁଥିରେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ସଠିକ୍ ଦାମ ପାଇବେ ଆଦିବାସୀ ଭାଇ ଭଉଣୀ । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ପେନସନ ମିଳିବ ।

ଗତଥର ଯଶିପୁରରେ ଯାହାକୁ ନିର୍ବାଚିତ କରିଥିଲେ ସେ ନିଜ କାମର ହିସାବ ଦେଇନାହାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ କାମର ହିସାବ ଦିଅନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।