ରାଜ୍ୟରେ ଏବେ ତାତିରୁ ତ୍ରାହି ନାହିଁ : ଆହୁରି ୫ ଦିନ ଯାଏଁ ପାରଦ ଖସିବ ନାହିଁ କହିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

104

କନକ ବ୍ୟୁରୋ : ତାତିରୁ ମିଳୁନି ତ୍ରାହି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛନ୍ତି ଲୋକେ । ପ୍ରବଳ ଗରମ ସାଙ୍ଗକୁ ତତଲା ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଉପକୂଳ ଓଡ଼ିଶା ମଧ୍ୟ ଉତପ୍ତ ହେବାରେ ଲାଗିଲାଣି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ତାତିରୁ ତ୍ରାହି ମିଳିବ ନାହିଁ ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାରଦ ଖସିବା ସମ୍ଭାବନା ବି ନାହିଁ । ଉତ୍ତର-ପଶ୍ଚିମ ଓ କେନ୍ଦ୍ର ଭାରତରେ ତାତି ଅଧିକ ରହୁଥିବାରୁ ସେହି ତାତି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବାହିତ ହେଉଛି । ଗତକାଲି ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୩ ଦଶମିକ ୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ଗୁରୁବାର ସୋନପୁର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଗତକାଲି ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ରହିଥିଲା ୪୩ ଦଶମିକ ୨ ଡିଗ୍ରୀ । ଆଜି ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଂଚଳର ସର୍ବୋଚ୍ଚ ତାପାମାତ୍ରା ୩୯ ଡିଗ୍ରୀ ଉପରେ ରହିପାରେ ।