ଏକାକୀ କେମିତି ୫ଜଣଙ୍କୁ ହାଣି ପକାଇଲା ଶିବ ସାହୁ, ଏବେବି ରହିଛି ରହସ୍ୟ : ଫରେନସିକ୍ ରିପୋର୍ଟ ଆସିବା ପରେ ହେବ ସ୍ପଷ୍ଟ

138

କନକ ବ୍ୟୁରୋ : ମାହାଙ୍ଗା ଗଣହତ୍ୟା ମାମଲା ଏବେ ବି ରହସ୍ୟ ଘେରରେ । ଏକୁଟିଆ ଶିବ ସାହୁ ୫ ଜଣଙ୍କୁ କିପରି କଲା ହତ୍ୟା ? ଏହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ନିଶା ଦେଇ ହତ୍ୟା କରିଥିବା କଥାକୁ ଅସ୍ୱୀକାର କରୁଛି ଅଭିଯୁକ୍ତ । ତେଣୁ ଶବ ବ୍ୟବଚ୍ଛେଦ ଓ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଫରେନସିକ୍ ରିପୋର୍ଟ ଆସିବା ପରେ ନିଶା ଦେଇ ହତ୍ୟା କରିଥିଲା କି ନାହିଁ ତାହା ସ୍ପଷ୍ଟ ହେବ ।

ରିମାଣ୍ଡର ପ୍ରଥମ ଦିନରେ ପୋଲିସକୁ ସହଯୋଗ କରିନଥିବା ଅଭିଯୁକ୍ତ ଶିବ ଦ୍ୱିତୀୟ ଦିନରେ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା । ଏକ ଡେମୋ କଟୁରୀ ଧରାଇ ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା । ଅଭିଯୁକ୍ତ କେମିତି ରୁମରେ ପଶିଲା ? ହତ୍ୟା କରିବା ପରେ କ’ଣ କରିଥିଲା ? ସେସବୁର ଡୋମୋକୁ ଭିଡିଓ ରେକଡିଂ କରିଥିଲା ପୋଲିସ । ଗରମ ହେଉଥିବାରୁ କବାଟ ଖୋଲି ସମସ୍ତେ ଶୋଇଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ ଶିବ ସାହୁ ।

ସେପଟେ ଶିବ ହତ୍ୟା କରିବା ପରେ କେଉଁମାନଙ୍କୁ ହତ୍ୟା ସଂପର୍କିତ ଭିଡିଓ ପଠାଇଛି, ସେମାନଙ୍କୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି । ହତ୍ୟା ପରେ ସେ ନିଜେ ଭିଡିଓ କରିଥିବା ସ୍ୱୀକାର କରିଛି । ତିନି ଦିନିଆ ରିମାଣ୍ଡରେ ଥିବା ଶିବ ସାହୁର ଆଜି ରିମାଣ୍ଡ ଅବଧି ଶେଷ ହେଉଛି । ତେଣୁ ଶିବଠାରୁ ଆଜି ଆହୁରି କିଛି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବ ପୋଲିସ । ଗତ ସୋମବାର ବିଳମ୍ବିତ ରାତିରେ କୁସୁପୁର ଗାଁର ନିଜ ବଡ଼ ଭାଇ ଅଲେଖଙ୍କ ପରିବାରକୁ ନିପାତ କରିଥିଲା ସାନ ଭାଇ ଶିବ ।