ଜ୍ଞାନବାପୀ ଶୃଙ୍ଗାର ଗୌରୀ ମାମଲାର ଆଜି ଶୁଣାଣି: ବାରାଣସୀରେ ୧୪୪ ଧାରା ଲାଗୁ , ଗଳିକନ୍ଦିରେ ଫୋର୍ସ ମୁତୟନ

93

କନକ ବ୍ୟୁରୋ: ବିବାଦୀୟ ଜ୍ଞାନବାପୀ ମସଜିଦ୍ ଉପରେ ଆଜି ଶୁଣାଣି ହେବ । ବାରଣାସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ମା’ ଶୃଙ୍ଗାର ଗୌରୀଙ୍କ ମନ୍ଦିରରେ ନିୟମିତ ଦର୍ଶନ ପୂଜନ ପାଇଁ ଦାବି କରି ହିନ୍ଦୁ ପକ୍ଷ ଦ୍ୱାରା ହୋଇଥିବା ଆବେଦନ ଉପରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ଶୁଣାଣି ହେବ । ଏହାକୁ ଦୃଷ୍ଟିରେ ରଖି ବାରାଣସୀ ସହରରେ ୧୪୪ ଧାରା ଲାଗୁ କରାଯାଇଛି । କୋଣ ଅନୁକୋଣରେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଚି ।

ସମ୍ପୂର୍ଣ୍ଣ ସହରରେ ବାରାଣସୀରେ ଗତ ରାତିରୁ ପୋଲିସ ପାଟ୍ରୋଲିଙ୍ଗ ଜାରି ରଖିଛି । ପୋଲିସ କମିଶନର ଏ. ସତୀଶ ଗଣେଶ କହିଛନ୍ତି ଯେ ପୁରା ସହରକୁ ସେକ୍ଟରରେ ବିଭକ୍ତ କରାଯାଇଛି ଏବଂ ଆବଶ୍ୟକତା ଅନୁଯାୟୀ ସମସ୍ତ କ୍ଷେତ୍ରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ରାପିଡ୍ ଆକ୍ସନ୍ ଫୋର୍ସ ନିୟୋଜିତ କରିବାକୁ କୁହାଯାଇଛି। ଜିଲ୍ଲାର ସୀମାରେ ଯାଞ୍ଚ ଏବଂ ସତର୍କତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲ, ଧର୍ମଶାଳା ଏବଂ ଅତିଥି ଗୃହରେ ଯାଞ୍ଚ ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ ୨୩ ତାରିଖରୁ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଥିଲା। ନାଗରିକ ପ୍ରକ୍ରିୟା ସଂହିତା ସିପିସିର ଆଦେଶ ୭ ନିୟମ ୧୧ ଅନୁସାରେ ଏହି ମାମଲା ଶୁଣାଣି ପାଇଁ ଯୋଗ୍ୟ କି ନୁହେଁ ତାହା ଉପରେ ଶୁଣାଣି ଚାଲିଛି। ପୂର୍ବ ଶୁଣାଣିରେ ମୁସଲମାନ ପକ୍ଷ ନିଜର ଯୁକ୍ତି ରଖିଥିଲେ।

ସିଭିଲ ଜଜଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପୀର ସର୍ଭେ କରାଯାଇଥିଲା । ଏହାପରେ ଜ୍ଞାନବ୍ୟାପୀରେ ଶିବଲଙ୍ଗ ଥିବା ନେଇ ହିନ୍ଦୁ ପକ୍ଷ ଦାବି କରିଥିଲେ। ଅନ୍ୟପଟେ ମୁସଲମାନ ପକ୍ଷ ଏହାକୁ ଫୁଆରା ବୋଲି କହିଥିଲେ । ପରେ ବିବାଦୀୟ ସ୍ଥାନକୁ ସିଲ କରିବାକୁ ହିନ୍ଦୁ ପକ୍ଷ ଦାବି କରିଥିଲେ। ଏହାପରେ ସେସନ କୋର୍ଟ ଏହାକୁ ସିଲ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ହିନ୍ଦୁ ପକ୍ଷ ମାମଲାର ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇ ଅନ୍ୟ ଏକ ଆବେଦନ କରିଥିଲେ। ଏହି ଆବେଦନ ପରେ ଜିଲ୍ଲା ଜଜଙ୍କୁ ପ୍ରାଥମିକତା ଆଧାରରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।