ଗୋଧ୍ରାକାଣ୍ଡରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀକୁ ଜାମିନ, ଗୁଜରାଟ ସରକାରଙ୍କ ବିରୋଧ

149

କନକ ବ୍ୟୁରୋ : ୨୦୦୨ ଗୋଧ୍ରାକାଣ୍ଡ ମାମଲାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନକୁ ଗୁଜରାଟ ସରକାର ତୀବ୍ର ବିରୋଧ କରିଛନ୍ତି । କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯିବା ପରେ କହିଛନ୍ତି କି, ଦୋଷୀ ଫାରୁକ୍ ୨୦୦୪ରୁ ୧୭ ବର୍ଷଧରି ଜେଲରେ ଅଛନ୍ତି , ଏବେ ତାଙ୍କୁ ଜାମିନ ମିଳିବା ଆବଶ୍ୟକ । ଏହାସହ ଏହି ମାମଲାରେ ଅନ୍ୟ ୧୭ ଜଣ ଦୋଷୀ ଜାମିନ ପାଇଁ ଆବେଦନ କରିଥିଲେ ବି ସେମାନଙ୍କ ଆବେଦନ ଉପରେ ଛୁଟି ପରେ ଶୁଣାଣି କରାଯିବ ବୋଲି କୁହାଯାଇଛି । ଏ ସମସ୍ତଙ୍କ ଉପରେ ପଥରମାଡ କରିଥିବା ଅଭିଯୋଗ ରହିଛି ।

ଏହି ଶୁଣାଣି ବେଳେ ଗୁଜରାଟ ସରକାରଙ୍କ ତରଫରୁ ସଲିସିଟର ଜେନରାଲ ତୁଷାର ମେହେଟା କହିଥିଲେ କି ଏମାନେ କେବଳ ପଥରମାଡ କରିନଥିଲେ । ଏମାନେ ଜଘନ୍ୟ ଅପରାଧରେ ସାମିଲ ଥିଲେ । କାରଣ ଜଳୁଥିବା ଟ୍ରେନରୁ ଲୋକମାନେ ଯେତେବେଳେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ଏମାନେ ପଥରମାଡ କରି ସେମାନଙ୍କୁ ବାହାରକୁ ବାହାରିବାକୁ ଦେଇନଥିଲେ ।

ତୁଷାର ମେହେଟାଙ୍କ ଯୁକ୍ତି ଉପରେ କୋର୍ଟ କହିଥିଲେ କି, ଏମାନଙ୍କ ମଧ୍ୟରୁ କିଛି ଲୋକ ପଥରମାଡ କରିଥିଲେ, ହେଲେ ଦୀର୍ଘଦିନ ଧରି ସେମାନେ ଏହି ଦୋଷରେ ଜେଲରେ ରହିଲେଣି । ଏଣୁ ସେମାନଙ୍କୁ ଜାମିନରେ ଛଡାଯାଇପାରେ । ଏହାପରେ ଯାଂଚ କରି କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ତୁଷାର ମେହେଟା ଡିସେମ୍ବର ୧୫ ଅର୍ଥାତ ଆଜି ପର୍ଯ୍ୟନ୍ତ ସମୟ ନେଇଥିଲେ ।