ସେବାପାଇଁ ଶରୀର ଛାଡିଗଲେ ଶିବାଜୀ ପଟ୍ଟନାୟକ । ଭୁବନେଶ୍ୱର ଏମ୍ସକୁ ଶରୀରଦାନ ।

171

କନକ ବ୍ୟୁରୋ : କମ୍ରେଡ ଶିବାଜୀ ପଟ୍ଟନାୟକ । କେବଳ ଜଣେ ରାଜନେତା ନୁହଁନ୍ତି ଜଣେ କିମ୍ବଦନ୍ତୀ ପୁରୁଷ । ନିଃଶ୍ୱାସ ଥିବା ବେଳେ ସାମ୍ୟବାଦୀ ଚିନ୍ତା ଧାରାରେ ଯେମିତି ସାଧାରଣ ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରୁଥିଲେ, ନିଃଶ୍ୱାସ ଛାଡ଼ି ଚାଲିଯିବା ପରେ ବି ଜନତାଙ୍କ ସେବାରେ ଲାଗିବ ତାଙ୍କର ମରଶରୀର । ତାଙ୍କର ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଦାନ କରିଛନ୍ତି ପରିବାର ଲୋକ ।

ମୃତ୍ୟୁ ପରେ ଦାହ ସଂସ୍କାର କରାନଯାଇ ତାଙ୍କ ଶରୀର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢାରେ ଲାଗିବ ବୋଲି ଶିବାଜୀ ପଟ୍ଟନାୟକଙ୍କ ଶେଷ ଇଚ୍ଛା ଥିଲା । ଆଉ ଏହାକୁ ସମ୍ମାନ ଜଣାଇଛନ୍ତି ତାଙ୍କ ପରିବାର । ଭୁବନେଶ୍ୱରରେ ତାଙ୍କର ଶେଷ ଦର୍ଶନ ପରେ କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ମରଶରୀରକୁ ଏମ୍ସକୁ ପ୍ରଦାନ କରାଯାଇଛି । ଏମ୍ସର ଆନାଟୋମି ବିଭାଗରେ ମୃତଦେହକୁ କେମିକାଲ ଦେଇ ସଂରକ୍ଷିତ କରି ରଖାଯିବାର ବ୍ୟବସ୍ଥା କରାଯାଇଛି ।

ନଜର ପକାନ୍ତୁ, ମେଡିକାଲ କଲେଜରେ ମୃତଦେହର ଆବଶ୍ୟକତା କ’ଣ ରହିଛି ।
ପ୍ରଥମ ବର୍ଷ ମେଡିକାଲ୍ ଛାତ୍ରଛାତ୍ରୀମାନେ ମଣିଷ ଶରୀରର ଗଠନ ଉପରେ ଅଧ୍ୟୟନ କରନ୍ତି
ଉପର ଚର୍ମ ପରେ ଭିତରକୁ ଭିତରକୁ କିପରି ଗଠନ ରହିଥାଏ, ତା ଉପରେ ଅଧ୍ୟୟନ ହୋଇଥାଏ
ପାକସ୍ଥଳୀ, ଯକୃତ, ହାଡ଼ର ପ୍ରକୃତ ରୂପ କେମିତି ଥାଏ, ତାହା ସବୁ ଆଖିରେ ଦେଖିଥାନ୍ତି ଡାକ୍ତରୀ ଛାତ୍ରଛାତ୍ରୀ
ଶ୍ୱାସକ୍ରିୟା ବ୍ୟବସ୍ଥା, ହାର୍ଟର ଗଠନ, ହଜମ ପ୍ରକ୍ରିୟା ସଂପର୍କରେ ପ୍ରାକ୍ଟିକାଲ ଜ୍ଞାନ ପାଇଥାନ୍ତି
ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହାର୍ଟ, ଯକୃତ, ପାକସ୍ଥଳୀ, ଏସବୁକୁ ନିଜ ହାତରେ ଧରି ଅନୁଭବ କରନ୍ତି ଛାତ୍ରଛାତ୍ରୀ
ଡାକ୍ତରୀ ପାଠର ପ୍ରଥମ ବର୍ଷରେ ପ୍ରାୟ ୭ ସପ୍ତାହ ଧରି ମଣିଷ ଶରୀର ଉପରେ ଅଧ୍ୟୟନ କରିଥାନ୍ତି
ଖପୁରୀ ତଳେ ଥିବା ମସ୍ତିଷ୍କ ରଚନାକୁ ସ୍ୱଚକ୍ଷୁରେ ଦେଖିଥାନ୍ତି
ପ୍ରାୟ ୩ ବର୍ଷ ଧରି ମରଶରୀରକୁ ସଂରକ୍ଷିତ କରି ରଖାଯାଏ
ଅଧ୍ୟୟନ ଉଦ୍ଦେଶ୍ୟରେ କିଛି ସମୟ ପାଇଁ ମରାଶରୀରକୁ ବାହାରକୁ ଆଣି ପୁଣି ସଂରକ୍ଷିତ ପ୍ରକ୍ରିିୟାରେ ରଖାଯାଏ
ମୃତ୍ୟୁ ପରେ ବି ଲୋକଙ୍କ ସେବାରେ ଲାଗିବ କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ମରଶରୀର । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ମରଶରୀର ମଧ୍ୟ ମେଡିକାଲ ଅଧ୍ୟୟନ ପାଇଁ ପ୍ରଦାନ କରାଯାଇଥିଲା ।