ପ୍ରଚାର କଲେ, ସରକାରଙ୍କ ଉପରେ ବର୍ଷିଲେ । ଆକ୍ରମଣ ମୁଦ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

140

କନକ ବ୍ୟୁରୋ : ପଂଚାୟତ ଓ ପୌର ନିର୍ବାଚନ ବେଳେ ବିଜେପି ପାଇଁ ରାଜ୍ୟରେ ପ୍ରଚାର କରିନଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବାକୁ ପହଂଚିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲାବେଳେ ବେଶ ଆକ୍ରମଣାତ୍ମକ ନଜର ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଥିବା ଦାଦନ ସମସ୍ୟାଠାରୁ ଆରମ୍ଭ କରି ପିସି କାରବାର ଓ ବିଜୁ ସ୍ମାର୍ଟ ହେଲଥ କାର୍ଡକୁ ଟାର୍ଗେଟ୍ କରିଛନ୍ତି ।

ମହାନଦୀ ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୫ ବର୍ଷ ତଳେ ଯେଉଁମାନେ ଏ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ସେମାନେ ଏବେ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ଏନେଇ ଏବେ ଆଉ ମୁହଁ ଖୋଲୁନାହିଁ । ପଡୋଶୀ ଛତିଶଗଡରେ କଂଗ୍ରେସ ସରକାର ଥିଲେ ମଧ୍ୟ ରାଜ୍ୟ କଂଗ୍ରେସ କାହିଁକି ଏହି ପ୍ରସଙ୍ଗ ଉଠାଉ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ହେଲେ ମହାନଦୀକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପ ବିଜେଡି ନେତାଙ୍କ ହଜମ ହୋଇନାହିଁ । ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଛତିଶଗଡର ତତକାଳୀନ ରମଣ ସିଂ ସରକାରଙ୍କ ମନମାନି ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଅବହେଳା ଯୋଗୁଁ ମହାନଦୀକୁ ନେଇ ଓଡିଶାର ସ୍ୱାର୍ଥହାନୀ ହେଉଛି । ଯାହାକୁ ନେଇ ଓଡିଶା ନ୍ୟାୟିକ ଲଢେଇ କରୁଛି ।

ନିର୍ବାଚନ ଆସିଲେ ନେତାଙ୍କ ଭିତରେ ଆକ୍ଷେପ ଓ ପ୍ରତିଆକ୍ଷେପ କିଛି ନୂଆକଥା ନୁହେଁ । ହେଲେ ପଂଚାୟତ ବେଳେ ୟୁପି ଓ ପୌର ନିର୍ବାଚନ ବେଳେ ସଂସଦରେ ବ୍ୟସ୍ତଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗରରେ କେତେଦୂର ଭୋଟରଙ୍କୁ ପ୍ରଭାବିତ କରିପାରୁଛନ୍ତି ତାହା ହିଁ ସବୁଠାରୁ ବଡକଥା ।