ଅନୁଭବ ଆସିଲେ, ବର୍ଷା ଆସିଲେନି । ଫ୍ୟାମିଲି କୋର୍ଟରେ ଅନୁଭବ ହାଜର । 

161

କନକ ବ୍ୟୁରୋ :   ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ଭିତରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଆସିନଥିଲେ, ତାଙ୍କ ତରଫରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ । ପୂର୍ବରୁ କାଉନସେଲିଂ ବିଫଳ ହୋଇଥିବାରୁ ଉଭୟ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏଫଆଇଆର ଦେବା ପରେ ପୁଣି ସୋମବାର ରାତିରେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ବର୍ଷା ବିରୋଧରେ ବର୍ଷିଛନ୍ତି ଅନୁଭବ । ଭିଡିଓରେ ସାଂସଦ କହିଛନ୍ତି, ସତ ଶୁଣିବାକୁ ବର୍ଷା ପ୍ରିୟଦର୍ଶନୀ ସାହସ ରଖନ୍ତୁ । ଆମେ ଏକାଠି ରହିପାରିବା ନାହିଁ । ତେଣୁ ଅଲଗା ହୋଇଯିବା ଆବଶ୍ୟକ । ଅନୁଭବ ଆହୁରି କହିଛନ୍ତି, ସେ କେବେ ବି ନଇଁବେ ନାହିଁ । ସୁପ୍ରିମକୋର୍ଟ ଯିବେ ଓ ସତକୁ ସାମ୍ନାକୁ ଆଣିବେ ।

ସେପଟେ ଅନୁଭବଙ୍କ ଅଭିଯୋଗ ଉପରେ ବର୍ଷା ପ୍ରିୟଦର୍ଶିନୀଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ । କିନ୍ତୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ବର୍ଷା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରି ବର୍ଷା ଫ୍ୟାନ୍ସ କ୍ଲବ ନାଁରେ ଏକାଧିକ ପୋଷ୍ଟ । ଯେଉଁଥିରେ ଲେଖା ଯାଇଛି ୬ ବର୍ଷ ଭିତରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ନହେବା କଣ ସମ୍ଭବ । ସୋସିଆଲ ମିଡିଆ ମାଧ୍ୟମରେ କାହିଁକି ସ୍ତ୍ରୀକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅନୁଭବ । ବାପ ଛେଉଣ୍ଡ ଝିଅକୁ ତଳି ତଳାନ୍ତ କରିବା କେତେ ଠିକ୍ ବୋଲି ପୋଷ୍ଟରେ ଲେଖା ରହିଛି । ଦିନକୁ ଦିନ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତିଙ୍କ ସଂପର୍କରେ ତିକ୍ତତା ବଢିବାରେ ଲାଗିଛି । ଓଲିଉଡର ଏହି ହିଟ୍ ଯୋଡିଙ୍କ ପାରିବାରିକ ଭବିଷ୍ୟତ ଏବେ ଫ୍ୟାମଲି କୋର୍ଟର ରାୟ ଉପରେ ନିର୍ଭର କରୁଛି ।