ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣା । କାନାଡାକୁ ପାଠ ପଢାଇଲେ ଏସ୍. ଜୟଶଙ୍କର, ‘ଫାଇବ୍ ଆଇଜ୍ ଆଲାଆନ୍ସ’ଙ୍କୁ କଲେ ଟାର୍ଗେଟ୍

238

କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ପରଠାରୁ ଭାରତ-କାନାଡା ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଏହାରି ଭିତରେ ମିଳିତ ଜାତିସଂଘରୁ କାନାଡା ଓ ଫାଇବ୍ ଆଇଜ୍ ଆଲାଆନ୍ସକୁ ଜୋରଦାର ଟାର୍ଗେଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ସେ କହିଛନ୍ତି – ‘କିଛି ନିର୍ଦ୍ଧିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ବିଶ୍ୱ ଚାଲିବ ନାହିଁ । ଯେଉଁମାନେ ନିଜ ଏଜେଣ୍ଡାରେ ବିଶ୍ୱକୁ ଚଳାଇବାକୁ ଚାହୁଁଛନ୍ତି ସେମାନଙ୍କ ଦିନ ଶେଷ ହୋଇଯାଇଛି । ଭାରତ ବିଭିନ୍ନ ଦେଶ ସହ ସହଭାଗିତାରେ ବିଶ୍ୱର ବିକାଶ ଦିଗରେ କାର୍ଯ୍ୟ କରୁଛି ।’

ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ । ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେଂଟଙ୍କ ହାତ ଥିବା କାନାଡ଼ା ଅଭିଯୋଗ କରୁଥିବା ବେଳେ ଏହାକୁ ଭାରତ ଖଣ୍ଡନ କରିଛି । ଏହାରି ଭିତରେ କାନାଡାରେ ଖାଲିସ୍ତାନୀ ସମର୍ଥକଙ୍କ ଆନ୍ଦୋଳନ, ପ୍ରବାସୀ ଭାରତୀୟଙ୍କୁ ଧମକ୍ ନେଇ ବର୍ଷିଛନ୍ତି ଜୟଶଙ୍କର । ଜଷ୍ଟିନ୍ ଟ୍ରୁଡୁ ସରକାରଙ୍କୁ ଲକ୍ଷ୍ୟ କରି କହିଛନ୍ତି ଯେ, କାନାଡ଼ାରେ ଏବେ ଏମିତି ସ୍ଥିତି ହୋଇଛି ଯେ, ଭାରତୀୟ କୂଟନୀତିଜ୍ଞମାନଙ୍କୁ ଧମକ ଦିଆଯାଉଛି । ଦୂତାବାସକୁ ଆକ୍ରମଣ କରାଯାଉଛି । ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା, ଏସବୁ ଗଣତନ୍ତ୍ରରେ ଘଟେ ବୋଲି କୁହାଯାଉଛି । ଏସବୁ ଦିଗ ପ୍ରତ କାନାଡ଼ା ସରକାର ଦୃଷ୍ଟି ଦେବା ଉଚିତ୍ ।

ନିଜ୍ଜର ହତ୍ୟାକୁ ନେଇ ଭାରତ ଉପରେ କାନାଡା ଦୋଷ ଲଦୁଥିବାବେଳେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ହରଦୀପ ସିଂହ ନିଜ୍ଜରକୁ ହତ୍ୟା କରି ଭାରତ ଉପରେ ଦୋଷ ଲଦିବାକୁ ଷଡଯନ୍ତ୍ର ରଚିଥିଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ । ଏଥିରେ ଭାରତର ଛବି ପ୍ରଭାବିତ ହେବା ସହ ଭାରତ-କାନାଡା ସମ୍ପର୍କରେ ବି ଫାଟ ସୃଷ୍ଟି ହେବ ବୋଲି ଷଡଯନ୍ତ୍ର କରିଥିଲା ପାକ୍ ଗୁଇନ୍ଦା ସଂସ୍ଥା । ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ କାନାଡ଼ାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଜୁନ୍ ୧୮ରେ ହତ୍ୟା କରାଯାଇଥିଲା । ୨ଟି ବାଇକରେ ଆସି ୬ ଜଣ ନିଜ୍ଜର ଉପରେ ଗୁଳିଚଳାଇଥିଲେ, ଫଳରେ ତାର ମୃତ୍ୟୁ ହୋଇଥିଲା । ତେବେ ଏଥିରେ ଭାରତୀୟ ଏଜେଂଟଙ୍କ ହାତ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି ।