ମାଲକାନଗିରି ଘୋଡ଼ାକୁ ମିଳିପାରେ ଅଷ୍ଟମ ପ୍ରଜାତି ମାନ୍ୟତା । ଓୟୁଏଟି ଗବେଷଣାରୁ ମିଳିଲା ତଥ୍ୟ । ସ୍ୱାଭିମାନ ଅଞ୍ଚଳର ଘୋଡାଙ୍କ ମଧ୍ୟରେ ରହିଛି ସ୍ୱତନ୍ତ୍ରତା

95

କନକ ବ୍ୟୁରୋ: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ପରିବହନ ବ୍ୟବସ୍ଥାର ବଡ ମାଧ୍ୟମ ଘୋଡା । ଛୋଟ ଘୋଡା ବା ପନି ଜିଲ୍ଲାର ଚିତ୍ରକୋଣ୍ଡା ନିକଟସ୍ଥ ବିଚ୍ଛିନ୍ନାଞ୍ଚଳର ୪୦ ଗାଁରେ ଦେଖାଯାଆନ୍ତି । ଦେଶରେ ଏବେ ସାତପ୍ରକାର ପ୍ରଜାତିର ଘୋଡା ଅଛନ୍ତି । ଆଉ ମାଲକାନଗିରି ଘୋଡାକୁ ଅଷ୍ଟମ ପ୍ରଜାତିର ମାନ୍ୟତା ଦେବାକୁ ଓୟୁଏଟି ଉଦ୍ୟମ ଆରମ୍ଭ କରିଛି । ଓୟୁଏଟି ଗବେଷଣାରୁ ଜଣାପଡିଛି, ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଘୋଡାଙ୍କ ମଧ୍ୟରେ ଅନେକ ଭିନ୍ନତା ରହିଛି । ଓୟୁଏଟି ପଶୁ ପ୍ରଜନନ ବିଭାଗ ମୁଖ୍ୟ ସୁଜିତ ଦାସଙ୍କ ନେତୃତ୍ୱରେ ଏକ ଟିମ ଏ ନେଇ ଗବେଷଣା ବି କରୁଛି ।

  • ମାଲକାନଗିରି ଘୋଡାକୁ ମିଳିବ ମାନ୍ୟତା!
  • ଓୟୁଏଟି ଗବେଷଣା ପରେ ଉଦ୍ୟମ ଆରମ୍ଭ

ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଏହି ଛୋଟ ଘୋଡା ହିଁ ପରିବହନର ପ୍ରମୁଖ ମାଧ୍ୟମ ପାଲଟିଛି । ଗବେଷଣାରୁ ଜଣାପଡିଛି…

  • ମାଲକାନଗିରି ଘୋଡାର ଉଚ୍ଚତା ୧୪୦ ରୁ ୧୫୦ ସେଣ୍ଟିମିଟର
  • ଅନ୍ୟ ଘୋଡା ତୁଳନାରେ ଏମାନଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ
  • ଜଙ୍ଗଲ ଓ ପାହାଡ ରାସ୍ତାରେ ଦୀର୍ଘସମୟ ଧରି ଚାଲିବାର କ୍ଷମତା
  • ୮୦ରୁ ୧୦୦ କିଲୋ ଯାଏଁ ଜିନିଷ ବୋହିବାର କ୍ଷମତା
  • ଶୁଖିଲା ଘାସ ଖାଇ ବଞ୍ଚିପାରନ୍ତି ମାଲକାନଗିରି ଘୋଡା
  • ଗରମ ସହଣି କ୍ଷମତା ରହିଛି, ଅଳ୍ପ ପାଣି ପିଅନ୍ତି

ବିଚ୍ଛିନ୍ନାଞ୍ଚଳରେ ଗୁରୁପ୍ରିୟା ସେତୁ ପରେ ଏହି ଘୋଡା ଉପରେ ଲୋକଙ୍କ ନିର୍ଭରଶୀଳତା କମିଛି । କିନ୍ତୁ ଏବେ ବି ସ୍ଥାନୀୟ ଲୋକେ ନିଜ ଉତ୍ପାଦିତ ଦ୍ରବ୍ୟ ନେଇ ନିକଟସ୍ଥ ବଜାର ଓ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଯାଇଥାନ୍ତି ।

ଦେଶରେ ସିକିମ୍, ଅରୁଣାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ହିମାଚଳ ପରି ସୀତୁଆ ତଥା ପାହାଡିଆ ଇଲାକାରେ ଏହି ଛୋଟ ଘୋଡା ଦେଖିବାକୁ ମିଳେ । ଏବେ ବି ମାଲକାନଗିରିରେ ପ୍ରାୟ ୮୫୫ ଟି ଛୋଟ ଘୋଡା ଥିବା ଜଣା ପଡିଛି । ଆଉ ଏହି ଘୋଡା ସହ ଅନ୍ୟ ପ୍ରଜାତିର ଘୋଡା ରହିଲେ ଉନ୍ନତମାନର ଘୋଡା ସୃଷ୍ଟି କରାଯାଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।