ଫାଇନାନ୍ସ ସଂସ୍ଥା ବିକିଦେଲା ଗ୍ରାହକଙ୍କ ସୁନା । ଚିନ୍ତାରେ ଗ୍ରାହକ ।

2,457

କନକ ବ୍ୟୁରୋ: ଫାଇନାନ୍ସ ସଂସ୍ଥା ବିକିଦେଲା ଗ୍ରାହକଙ୍କ ସୁନା । ପ୍ରାଇଭେଟ ଫାଇନାନ୍ସ ସଂସ୍ଥାରେ ସୁନା ବନ୍ଧାପକାଇ ଋଣ ନେଲେ । ସୁଧ ଟଙ୍କା ବି ଦେଲେ । ମାତ୍ର କୌଣସି ନୋଟିସ ନଦେଇ ଗ୍ରାହକଙ୍କ ଅଜାଣତରେ ସୁନା ନିଲାମ କରିଦେଲେ । କେନ୍ଦ୍ରାପଡା ରାଜନଗରସ୍ଥିତ ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ ସୁନା ଋଣ ସଂସ୍ଥା ନାଁରେ ଏପରି ସାଂଘାତିକ ଅଭିଯୋଗ ରାଜନଗର ଥାନାରେ ହୋଇଛି ।

ଏହି ଘୋଟାଲାର ପୋଲ ନିଜେ ଶାଖା ପରିଚାଳକ ଖୋଲି ଦେଇଛନ୍ତି । ମୋତେ ଡରାଇ ଧମକାଇ ରିଜିଓନାଲ ମ୍ୟାନେଜର ସୁନା ନେଇଗଲେ ବୋଲି ପୁଲିସକୁ ବ୍ରାଞ୍ଚ ମ୍ୟାନେଜର ଲେଖିଦେବା ଘଟଣା ସୁନାଋଣ ନାଁରେ ଚାଲିଥିବା କେଳେଙ୍କାରୀକୁ ସାମ୍ନାକୁ ଆଣିଛି । ସୂଚନା ମୁତାବକ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବାର୍ହାପୁର ଗାଁର ମୌସୁମୀ ପ୍ରିୟଦର୍ଶନୀ ରାଜନଗରସ୍ଥିତ ଆଶୀର୍ବାଦ ସୁନାଋଣ ସଂସ୍ଥାରୁ ୧୦ ଫେବୃୟାରୀ ୨୦୨୩ରେ ୨୧୦ ଗ୍ରାମ ସୁନା ଦେଇ ୮ ଲକ୍ଷ ୧୦ ହଜାର ଟଙ୍କା ଋଣ ନେଇଥିଲେ । ନଭେମ୍ବର ୨୦୨୩ରେ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି ।

ଶନିବାର ଋଣ ସୁଝି ସୁନା ନେବାକୁ ରାଜନଗରସ୍ଥିତ ସଂସ୍ଥା କାର୍ଯ୍ୟାଳୟରେ ଆସି ପହଞ୍ଚିିବାରୁ ତାଙ୍କ ସୁନା ନିଲାମ ହୋଇ ସାରିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା । ଏ ନେଇ ମୌସୁମୀ ଗତକାଲି ରାତିରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।