୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ: ସେପଟେ ମୟୂରଭଞ୍ଜରେ ପୁଅ ଆଗରେ ଭାସିଗଲା ମାଆ

120

କନକ ବ୍ୟୁରୋ: ଚାରି ପାଖେ ପାଣି ଆଉ ପାଣି । କେମିତି ବାହାରିବେ ଟାପୁରୁ । କିଛି ଭାବି ପାରୁ ନଥିଲେ ଧୈର୍ଯ୍ୟଧର ଓ ପୁଅ ଅର୍ଜୁନ । ୫ ଦିନ ପୂର୍ବରୁ ସବୁଦିନ ପରି ଛେଳି ଚରାଇବାକୁ ଦୁହେଁ ଯାଇଥିଲେ ଅମଙ୍ଗେଇକୁଦକୁ । ହଠାତ୍ ବନ୍ୟା ପାଣି ମାଡ଼ି ଆସିଲା । ଆଉ ଟାପୁ ଚାରି ପାଖରେ ଜଳମଗ୍ନ ହୋଇଗଲା । ବାହ୍ୟ ଦୁନିଆରୁ ବିଛିନ୍ନ ହୋଇପଡ଼ିଲା ଅମଙ୍ଗେଇକୁଦ ।  ସ୍ରୋତ ଏତେ ପ୍ରଖର ଥିଲା ଯେ, କୂଳକୁ ଆସିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା ।

ତେଣୁ ବାପା-ପୁଅଙ୍କ ପାଖରେ ଅପେକ୍ଷା ଛଡ଼ା ଆଉ କିଛି ଉପାୟ ନଥିଲା । ଏମିତି କଟିଗଲା ୫ ଦିନ । ଯାହା କିଛି ଖାଇବା ନେଇ ଯାଇଥିଲେ ସେଥିରେ ୩ ଦିନ କଟିଗଲା । ବାକି ୨ ଦିନ ଖାଲି ପାଣି ଓ ଚା’ ପିଇ ଦିନ କାଟିଥିଲେ ଦୁଇଜଣ । ଟାପୁରେ ଦୁଇ ଜଣ ଫସିରହିଥିବା ଖବର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଖରେ ପହଂଚିଥିଲା । ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ । ଓଡ୍ରାଫ ଟିମ୍ ପହଂଚି ବାପ-ପୁଅଙ୍କୁ ଟାପୁରୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

ଶିବା ସିଂ । ବୟସ ୧୪ । ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ତଳଜୁଆଳିକଟା ଗ୍ରାମର ଶିବା ସିଂ ନିଜ ମାଆ ଜମୁନା ସିଂଙ୍କ ସହ ବୁଢ଼ାବଳଙ୍ଗ ନଈକୁ ଗଧୋଇବାକୁ ଯାଇଥିଲେ । ହେଲେ ଗାଧୋଉଥିବା ବେଳେ ନଦୀ ଜଳରେ ଭାସିଗଲେ ୪୦ ବର୍ଷୀୟା ଯମୁନା । ମାଆକୁ ଉଦ୍ଧାର କରିବାକୁ ସାହାଯ୍ୟ ପାଇଁ ବଡ଼ ପାଟିରେ ଚିକ୍ରାର ବି କଲେ । ହେଲେ କିଛି ସମୟ ମଧ୍ୟରେ ପାଣିରେ ବୁଡ଼ିଗଲେ ମାଆ ଯମୁନା । ଦମକଳ ବାହିନୀ, ଗ୍ରାମବାସୀ ପୋଲିସ୍ ସହ ମିଶି ଖୋଜାଖୋଜି କଲେ ବି ତାଙ୍କର ସନ୍ଧାନ ମିଳିପାରି ନାହିଁ । ହେଲେ ମାଆ ପୁଣି ଫେରିଆସିବ । ସେହି ଆଶାରେ ନଦୀ କୂଳରେ ଜଗି ବସିଛି ଶିବା ।