ବନ୍ୟାର ବିଭୀଷିକା: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ଚିତ୍ର, କେଉଁଠି ଘରେ ପଶିଲାଣି ପାଣି ତ କେଉଁଠି ଜଳମଗ୍ନ ରାସ୍ତାଘାଟ

87

କନକ ବ୍ୟୁରୋ: ବନ୍ୟାର ବିଭିଷିକାର ଆସୁଛି ଭୟଙ୍କର ଚିତ୍ର । କେଉଁଠି ଘରେ ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଜଳମଗ୍ନ ହୋଇଛି । ଶହ ଶହ ଗାଁ ଏବେ ବନ୍ୟା ପାଣି ଘେରରେ । ବନ୍ୟା ପାଇଁ କେଉଁଠି ଛାତ ଉପରେ ଆଶ୍ରୟ ନେଉଛନ୍ତି ଲୋକେ, ତ ପୁଣି କେଉଁଠୁ ଆସିଛି ଘାଇ ଭାଙ୍ଗି ଗାଁ ଭିତରେ ପଶିଛି ବନ୍ୟା ପାଣି । ବନ୍ୟାର ଏହି ପରିସ୍ଥିତି ଭିତରେ ଲଗାତାର ଭାବେ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶନ ବିଭାଗ ତରଫରୁ ଜାରି ରହିଛି ଉଦ୍ଧାର କାମ ।  ଖୋର୍ଦ୍ଧାର ରାଜୁଆ ନଦୀରେ ଶହେ ଫୁଟର ଘାଇ ସୃଷ୍ଟି ହୋଇଛି । ତିରିମଲ ନିକଟରେ ଏହି ବଡ ଘାଇ ସୃଷ୍ଟି ହୋଇଛି । ଏବେ ଘାଇରେ ପ୍ରବଳ ବେଗରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ଘାଇ ଦେଇ ପ୍ରଚୁର ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର, ଅଣ୍ଡା, ଅଁଳାଯୋଡି, ଧବଳପୁର ଗାଁ ପ୍ରଭାବିତ ହେବା ସମ୍ଭାବନା ରହିଛି । ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସେପଟେ ନଦୀର ଅନ୍ୟ ସ୍ଥାନରେ ଦୁର୍ବଳ ନଦୀ ବନ୍ଦରେ ବାଲିବସ୍ତା ପକାଇ ସ୍ଥାନୀୟ ଲୋକେ ଜଗି ରହିଛନ୍ତି ।

ଗୋପ ବ୍ଲକରେ କୁଶଭଦ୍ରା ନଦୀରେ ଘାଇ ହେବା ପରେ ୧୦ଟି ପଂଚାୟତର ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି । ପାଣି ଘେରରେ ଥିବା ଲୋକଙ୍କ ଉଦ୍ଧାର ପାଇଁ ପୁରୀ ଜ୍ଲିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି । ଆଜି ଅସ୍ତରଙ୍ଗ ବ୍ଲକରୁ ଯନ୍ତ୍ର ଚାଳିକ ବୋଟ୍ ଗୋପକୁ ପଠାଯାଇଛି । ୨୦ରୁ ଅଧିକ ଟ୍ରକରେ ଡଙ୍ଗା ଗୁଡିକୁ ଲଦି ପ୍ରଭାବିତ ଅଂଚଳକୁ ପଠାଇଛି ପ୍ରଶାସନ ।