ଜଳୁଛି ପଶ୍ଚିମ ଓଡିଶା, ଉପକୂଳରେ ଗୁଳୁଗୁଳି । ସକାଳୁ ସକାଳୁ ଅନୁଭୂତ ହେଉଛି ପ୍ରବଳ ଗରମ । ଏପଟେ ପ୍ରଶାନ୍ତ ମହାସାଗରକୁ ଫେରୁଛି ‘ଏଲ୍ ନିନୋ’

1,627

କନକ ବ୍ୟୁରୋ: ସମସ୍ତଙ୍କୁ ଚକିତ କରି ଦେଲା ଭଳି ଥିଲା ଆଜି ଦିନର ତାପାମତ୍ରା । ସକାଳୁ ସକାଳୁ ଟ୍ୱିଟ କରି ରାଜଧାନୀର ତାପାମାତ୍ରା ବାବଦରେ ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସକାଳ ୫ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ଥିଲା ୩୦.୨ଡିଗ୍ରୀ ସେଲସିୟସ । ଦିନ ସାଢେ ୧୧ଟା ବେଳକୁ ତାପମାତ୍ରା ୩୬ଡିଗ୍ରୀରେ ପହଞ୍ଚିଯାଇଥିଲା । ସେହିପରି ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ପାରଦ ୩୭. ୮ଡିଗ୍ରୀରେ ପହଞ୍ଚି ଯାଇଥିଲା । କୁହାଯାଉଛି ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହୁଥିବାରୁ ତାପମାତ୍ରା ବଢିବା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟରେ ୧୦ଟି ଷ୍ଟେସନରେ ପାରଦ ୩୦ ଡିଗ୍ରୀ ଉପରେ ରହିଛି । ସେପଟେ ଏଲ-ନିନୋ ପ୍ରଭାବ ନେଇ ସତର୍କ କରାଇଛି ଆମେରିକୀୟ ସଂସ୍ଥା । ଆଗକୁ ଭାରତରେ ମୌସୁମୀ ଦୁର୍ବଳ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

  • ପ୍ରଶାନ୍ତ ମହାସାଗରକୁ ଫେରୁଛି ‘ଏଲ୍ ନିନୋ’
  • ବଢ଼ିବ ତାତି, ସୃଷ୍ଟି ହୋଇପାରେ ବନ୍ୟା ଓ ମରୁଡ଼ି ସ୍ଥିତି

୮ ଦିନ ପରେ କେରଳକୁ ମୌସୁମୀ ଛୁଇଁଥିବା ବେଳେ ଏବେ ଚିନ୍ତା ବଢ଼ାଇଛି ଏଲ୍ ନିନୋ ପ୍ରଭାବ । ଗୋଟିଏ ପଟେ ତାତି ବଢୁଛି, ଅନ୍ୟପଟେ ୭ ବର୍ଷ ପରେ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ଏଲ୍ ନିନୋ ପ୍ରଭାବ ପ୍ରତ୍ୟାବର୍ତ୍ତନ କରୁଛି । ଫଳରେ ପାଣିପାଗରେ ଅସ୍ୱାଭାବିକ ପରିବର୍ତନ ହୋଇପାରେ ବୋଲି ସତର୍କ କରାଇଛି ଆମେରିକାର ଜାତୀୟ ସାମୁଦ୍ରିକ ଓ ପରିବେଶ ପ୍ରଶାସନ । ଜଳବାୟୁ ବିଶେଷଜ୍ଞ ଆଶଙ୍କା କରିଛନ୍ତି…

  • ଏଲ୍ ନିନୋ ପ୍ରଭାବରେ ଅଷ୍ଟ୍ରେଲିଆରେ ମରୁଡ଼ି ସ୍ଥିତି ଉପୁଜିପାରେ
  • ଦକ୍ଷିଣ ଆମେରିକାରେ ମାତ୍ରାଧିକ ବର୍ଷା ହୋଇ ବନ୍ୟା ହୋଇପାରେ
  • ଭାରତରେ ଦୁର୍ବଳ ହୋଇପାରେ ମୌସୁମୀ ବାୟୁ

ଏବେ ନଜର ପକାଇବା କ’ଣ ଏହି ଏଲ୍ ନିନୋ?

  • ଏହା ଏକ ଜଳବାୟୁ ଢାଞ୍ଚା, ଯାହା ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ୨ରୁ ୭ ବର୍ଷ ବ୍ୟବଧାନରେ ସୃଷ୍ଟି ହୋଇଥାଏ
  • ଏହାର ପ୍ରଭାବରେ ସମୁଦ୍ର ଉପରଭାଗ ଜଳରାଶିର ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥାଏ
  • ବିଶ୍ୱବ୍ୟାପୀ ମାତ୍ରାଧିକ ଗ୍ରୀଷ୍ମପ୍ରବାହ ହୋଇପାରେ
  • କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇଥାଏ
  • ଆଉ କିଛି ଅଞ୍ଚଳରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବୃଦ୍ଧି ପାଏ

ଅଗଷ୍ଟ ମାସ ମଧ୍ୟରେ ଏଲ ନିନୋ ପ୍ରଭାବ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଏହାର ବହୁ ପୂର୍ବରୁ ସମୁଦ୍ର ପୃଷ୍ଠଭାଗର ତାପମାତ୍ରା ଉତ୍ତପ୍ତ ହେଉଥିବା ଜଣାପଡିଛି ।

‘ଏଲ୍ ନିନୋ’

  • ୨୦୦୦ ମସିହା ପରେ ଏହାକୁ ମିଶାଇ ୫ଟି ଏଲ୍ ନିନୋ ପ୍ରଭାବ ସୃଷ୍ଟି ହୋଇଛି
  • ୧୦୦ ବର୍ଷ ମଧ୍ୟରେ ଭାରତରେ ୧୮ଟି ଭୟଙ୍କର ମରୁଡ଼ି ପରିସ୍ଥିତି ହୋଇଛି
  • ସେଥି ମଧ୍ୟରୁ ୧୩ଟି ମରୁଡ଼ି ପରିସ୍ଥିତି ‘ଏଲ୍ ନିନୋ’ ଯୋଗୁଁ ହୋଇଛି
  • ୧୯୫୧ରୁ ୨୦୨୧ ମଧ୍ୟରେ ୧୫ ‘ଏଲ୍ ନିନୋ’ ପ୍ରବାହ କାରଣରୁ ୯ଟି ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇଛି

ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ହେଉଛି, ଏଲ ନିନୋ ପ୍ରଭାବ ଚଳିତ ମୌସୁମୀ ବାୟୁ ପ୍ରବାହରେ ବିଶେଷ ପ୍ରଭାବ ପକାଇବ ନାହିଁ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ । କିନ୍ତୁ ସାରା ଭାରତ ଉପରେ ଏହା ପ୍ରଭାବ ପକାଇବ ନାହିଁ ।