ବିନା ସୂଚନାରେ କଟୁଛି ବିଜୁଳି, ହନ୍ତସନ୍ତ ହେଉଛନ୍ତି ଲୋକ । ବିଦ୍ୟୁତ କାଟକୁ ନେଇ ପାଠ ପଢ଼ାଇଲେ ମନ୍ତ୍ରୀ ପ୍ରତାପ ଦେବ । କହିଲେ, ପବନ ବହିଲେ କଟିବ ବିଜୁଳି

125

କନକ ବ୍ୟୁରୋ: ସାରା ରାଜ୍ୟରେ ଘନଘନ ବିଦ୍ୟୁତ କାଟ୍ ହେଉଛି । କୌଣସି ପୂର୍ବ ସୂଚନା ନଥାଇ ଘଣ୍ଟା ଘଣ୍ଟା ବିଜୁଳି କାଟି ଦିଆଯାଉଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ଅଘୋଷିତ ବିଜୁଳି କାଟ୍, ସାଧାରଣ ଲୋକଙ୍କ ସମସ୍ୟା ବଢାଇ ଦେଇଛି । ଗୁରୁବାର କାଳବୈଶାଖୀ ଝଡ଼ ପରେ ରାଜ୍ୟ ରାଜଧାନୀରେ ସାଢେ ତିନି ଘଣ୍ଟା ବିଜୁଳି କଟିଗଲା । ଖୋଦ୍ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ବାରମ୍ବାର ପଚାରୁଥିଲେ, ବିଜୁଳି ଆସିବାକୁ ଆଉ କେତେ ସମୟ ଲାଗିବ? ହେଲେ ବିଭାଗୀୟ ମନ୍ତ୍ରୀ ଆଜି ଅଜବ ଉତ୍ତର ରଖିଛନ୍ତି । ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଏହାର ପାୱାର କଟ୍ କୁହାଯିବ ନାହିଁ । ପବନ ହେଲେ ବିଜୁଳି କଟିବ । ଭିତିଭୂମି ଠିକ୍ ନଥିବାରୁ ବିଜୁଳି ଆସିବାରେ ବିଳମ୍ବ ହେବ । ସେପଟେ ପଶ୍ନ ଉଠିଛି ଗତ ୧୦ବର୍ଷରେ ବିଜୁଳି ଭିତିଭୂମିକ ସଜାଡିବା ପାଇଁ ଖର୍ଚ୍ଚର୍ ହୋଇଥିବା ୧୦ହଜାର କୋଟି ଟଙ୍କା ଗଲା କୁଆଡେ?

ଗୋଟିଏ ପଟେ ଲାଗି ରହିଛି ଅଘୋଷିତ ବିଦ୍ୟୁତ୍ କାଟ । ଘଣ୍ଟା ଘଣ୍ଟା ଧରି ବିଜୁଳି ଯାଉଛି ଯେ କେତେବେଳେ ଆସିବ କାହାକୁ ଜଣାନାହିଁ । ଗାଁଠୁ ସହର, ସବୁଠି ସମାନ ଅବସ୍ଥା । ହେଲେ, ଏପଟେ ଅଜବ ଯୁକ୍ତି ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

  • ‘କେଉଁଠି ହେଉନି ପାୱାରକଟ୍’
  • ‘ପବନ ହେଲେ କଟାଯାଉଛି ବିଦ୍ୟୁତ୍’

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକ ହନ୍ତସନ୍ତ ହେଉଥିବାବେଳେ, ମାନିବାକୁ ନାରାଜ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । କହିଛନ୍ତିି, ପାୱାରକଟ୍ କେଉଁଠି ହେଉନି । ବାରମ୍ବାର ଗଣମାଧ୍ୟମକୁ କହିଛି, ପାୱାରକଟ୍ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ପବନ ବହିଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ । କାଳବୈଶାଖୀ ଯେଉଁଭଳି ହେଉଛି, ଖୁଣ୍ଟ ଉପୁଡୁଛି । ଆଖି ପିଛୁଳାକେ ଏ କାମ ହୋଇଯିବନି । ପାୱାର ସର୍ଟେଜ୍ ଅଛି ଏକଥା କହିବା ଭୁଲ୍ । ଭିତ୍ତିଭୂମିର ତ୍ରୁଟି ରହିଛି । ରାଜ୍ୟ ସରକାରଙ୍କ କାମ ହେଉଛି କମ୍ପାନୀଗୁଡିକୁ ତାଗିଦ୍ କରି କାମ କରିବା । ଅନ୍ୟପଟେ ପାୱାରକଟ୍ ହେଉନଥିବା ମନ୍ତ୍ରୀଙ୍କ ଦାବିକୁ ସହଜରେ ଗ୍ରହଣ କରିପାରି ନାହାନ୍ତିି, ଶକ୍ତି ସମୀକ୍ଷକ ଓ ଉପଭୋକ୍ତା ମହାସଂଘ  ।

  • କେମିତି ହେବ ବିଜୁଳି କାଟର ସମାଧାନ?
  • ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ

 ଗୁରୁବାର କାଳବୈଶାଖୀ ପରେ ଘଣ୍ଟା ଘଣ୍ଟା ଲାଇନ କଟିବା ନେଇ ଟୁଇଟ୍ କରି ଉଦବେଗ ପ୍ରକାଶ କରିବା ପରେ, ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ଏହାର କିପରି ସମାଧାନ କରାଯିବ ସେନେଇ ବୈଠକରେ ଆଲୋଚନା ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି । ତେବେ ମୁଖ୍ୟ ଶାସନ ସଚିବଙ୍କ ପଦକ୍ଷେପକୁ ସ୍ୱାଗତ କରିଛି ଉପଭୋକ୍ତା ମହାସଂଘ ।

ମନ୍ତ୍ରୀଙ୍କ ବୟାନ ପରେ, ସାଧାରଣରେ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ମନ୍ତ୍ରୀ ପାୱାରକଟ ହେଉନଥିବା କହୁଥିବାବେଳେ ଆଉ ଗୋଟିଏ ପଟେ ଭିତ୍ତିଭୂମିକୁ ଦାୟୀ କରୁଛନ୍ତି । ପ୍ରଶ୍ନ ଉଠୁଛି, ମନ୍ତ୍ରୀଙ୍କ କଥା ସତ ହୋଇଥିଲେ…

  • ଦୁର୍ବଳ ଭିତ୍ତିଭୂମି ପାଇଁ ଦାୟୀ କିଏ? 
  • ଭିତ୍ତିଭୂମିକୁ ସୁଦୃଢ଼ କରିବା କାହାର ଦାୟିତ୍ୱ ? 
  • ଭିତ୍ତିଭୂମି ସଜାଡିବାକୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା କୁଆଡେ ଗଲା?