ଲୁହ ପିଇବ କି ଇଜିପ୍ଟ ପିଆଜ ? ଓଡିଶା ବଜାରରେ ଇଜିପ୍ଟ ପିଆଜ ପହଞ୍ଚିବା ପରେ ଉଇଁଲା ଆଶା । ହୋଲସେଲର ଦାମ ରହିଛି ୭୦ରୁ ୮୦ ଟଙ୍କା

700

 

କନକ ବ୍ୟୁରୋ: ଆଉ କେତେଦିନ କନ୍ଦାଇବ ପିଆଜ । ଓଡିଶାରେ ଇଜିପ୍ଟ ପିଆଜ ପହଂଚିଛି ସତ । କିନ୍ତୁ ପିଆଜ ଦରରେ ସେତେଟା ଫରକ ଆସିନାହିଁ । ଏବେବି କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି । ପାଇକାରୀ ଦର କମିଥିବା ବେଳେ ଖୁଚୁରା ଦରରେ କୌଣସି ପରିବର୍ତ୍ତନ ଆସିନାହିଁ । ତେବେ ବ୍ୟବସାୟୀ ସଂଘର କହିବା କଥା ହେଲା, ନୂଆବର୍ଷ ବେଳକୁ ପିଆଜ କିଲୋ ୪୦ ଟଙ୍କାରେ ପହଂଚିବ ।

ବେଶ କିଛି ମାସ ଧରି ରୋଷେଇ ଘରେ ପିଆଜ କନ୍ଦେଇବା ପରେ ଏବେ ପିଆଜ ଦର କମିବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । ଆଉ ୟାରି ଭିତରେ ଓଡିଶାରେ ପହଂଚି ସାରିଛି ଇଜିପ୍ଟ ପିଆଜ । ଗୋଟିଏ ଗୋଟିଏ ଇଜିପ୍ଟ ପିଆଜର ଓଜନ ପ୍ରାୟ ୫୦୦ ରୁ ୮୦୦ ଗ୍ରାମ । ହୋଲସେଲରେ ଇଜିପ୍ଟ ପିଆଜ କିଲୋ ରହୁଛି ୭୦ରୁ ୮୦ ଟଙ୍କା । ପିଆଜର ନିଅଂଟିଆ ସ୍ଥିତି ଓ ଦର ବୃଦ୍ଧି ଉପରେ ଏହା ରୋକ ଲଗାଇବ ବୋଲି ଆଶା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପିଆଜର ବଜାର ଦର ନିୟନ୍ତ୍ରଣରେ ନାହିଁ ।

ତେବେ ଇଜିପ୍ଟ ପିଆଜ ଭାରତ ପିଆଜ ମଧ୍ୟରେ ଅନେକ ଫରକ ରହିଛି । ଭାରତୀୟ ପିଆଜ ତୁଳନାରେ ଇଜିପ୍ଟ ପିଆଜ ଦେଖିବାକୁ ବହୁତ ବଡ଼ କିନ୍ତୁ ଏହାର ଏତେଟା ସ୍ୱାଦ ନାହିଁ । ହୋଟେଲ ମାନଙ୍କରେ ଏହି ପିଆଜର ଚାହିଦା ଅଧିକ । ତେବେ ଘରୋଇ ଚାହିଦା ନାହିଁ । ଆଶା କରାଯାଉଥିଲା ଇଜିପ୍ଟ ପିଆଜ ପହଂଚିବା ପରେ ଦର କମିବ । ହେଲେ ଏବେ ପାଇକାରୀ ଦର ଖସିଥିବା ବେଳେ ଖୁଚୁରା ବଜାରରେ ଦର କମିନି । ଏବେବି କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି ।

ସେପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଇଜିପ୍ଟ ପିଆଜ ଓଡିଶା ବଜାରରେ ପହଂଚିବ ଏବଂ ଦରରେ ନିୟନ୍ତ୍ରଣ ଆସିବ ବୋଲି କହିଥିଲେ ସରକାର । ହେଲେ ପିଆଜ ଆସିଲା ଡିସେମ୍ବର ମାସ ଶେଷ ସପ୍ତାହରେ । ଓଡିଶାକୁ ୧୨ ହଜାର କ୍ୱିଂଟାଲ ଇଜିପ୍ଟ ପିଆଜ ମଗାଯାଇଥିବା ବେଳେ ଭୁବନେଶ୍ୱରରେ ପହଚିଂଛି ମାତ୍ର ୫୦ କ୍ୱିଂଟାଲ । ଉପଭୋକ୍ତା ଏହାକୁ ଗ୍ରହଣ କରୁନଥିବା ବେଳେ ନୂଆବର୍ଷ ବେଳକୁ ପିଆଜ କିଲୋ ୪୦ଟଙ୍କାରେ ପହଂଚିବ ବୋଲି କୁହାଯାଉଛି ।