ଆକାଶରେ ହଜିଯିବ ସୂର୍ଯ୍ୟ ! ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ସେପଟେ ବନ୍ଦ ରହିବ ସମସ୍ତ ସରକାରୀ ସ୍କୁଲ, କଲେଜ ଓ ଅଫିସ ।

1,412

କନକ ବ୍ୟୁରୋ : ସୂର୍ଯ୍ୟୋପରାଗ ପାଇଁ ସରକାରୀ ଛୁଟି । ଡିସେମ୍ବର ୨୬ ତାରିଖ ଗୁରୁବାର ଦିନ ପଡୁଛି ସୂର୍ଯ୍ୟୋପରାଗ । ଏଥିପାଇଁ ଏହି ଦିନ ସମସ୍ତ ସରକାରୀ ସ୍କୁଲ, କଲେଜ ଓ ସରକାରୀ ଅଫିସ ବନ୍ଦ ରହିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଜ୍ୟୋର୍ତିବିଦଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ସୂର୍ଯ୍ୟୋପରାଗ ଆଂଶିକ ହେବ । ଗୁରୁବାର ସକାଳ ୮ଟା ୧୭ ମିନିଟରୁ ସୂୁର୍ଯ୍ୟୋପରାଗ ଆରମ୍ଭ ହୋଇ ୯ଟା ୩୧ ବେଳକୁ ପୂର୍ଣ୍ଣଗ୍ରାସ ହେବ । ଦିନ ୧୦ଟା ୫୭ ମିନିଟରେ ସର୍ବମୋକ୍ଷ ହେବ ।

ବକୁଳ ଅମାବାସ୍ୟାରେ ସୂର୍ଯ୍ୟୋପରାଗ । ଦିନରେ ଲୁଚିବ ସୂର୍ଯ୍ୟ । ଆସନ୍ତା ୨୬ ତାରିଖରେ ଚଳିତ ବର୍ଷରେ ଶେଷ ସୂର୍ଯ୍ୟୋପରାଗ ଅନୁଷ୍ଠିତ ହେବ । ଗୁରୁବାର ସକାଳ ୮ଟା ୧୭ ମିନିଟରୁ ସୂୁର୍ଯ୍ୟପରାଗ ଆରମ୍ଭ ହୋଇ ୯ଟା ୩୧ ବେଳକୁ ପୂର୍ଣ୍ଣଗ୍ରାସ ହେବ ଏବଂ ଦିନ ୧୦ଟା ୫୭ ମିନିଟରେ ସର୍ବ ମୋକ୍ଷ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଫଳରେ ଏହି ଦିନ ସମସ୍ତ ସରକାରୀ ସ୍କୁଲ, କଲେଜ ଓ ସରକାରୀ ଅଫିସ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂର୍ଯ୍ୟୋପରାଗ ପାଇଁ ସ୍ୱତନ୍ତ୍ର ନୀତି । ଶ୍ରୀମନ୍ଦିରରେ ସୂର୍ଯ୍ୟୋପରାଗ ନୀତିକାନ୍ତି । ବକୁଳ ଅମାବାସ୍ୟା ବା ପୌଷ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ହେଉଥିବା ବେଳେ ଏନେଇ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଛି । ୨୫ ତାରିଖ ରାତି ୮ଟା୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ପରାଗ ଗ୍ରାସର ୧୨ ଘଂଟା ପୂର୍ବରୁ ନୀତି ପାଇଁ ବ୍ୟବସ୍ଥା ହୋଇଛି । ଫଳରେ ବୁଧବାର ରାତିସାରା ଖୋଲା ରହିବ ଶ୍ରୀମନ୍ଦିର ଏବଂ ଭକ୍ତ ଶ୍ରୀଜିଉଙ୍କୁ ସାରାରାତି ଦର୍ଶନ କରିବେ । ଭୋର ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା, ୩ଟା ୪ରେ ମଙ୍ଗଳ ଆଳତି ଏବଂ ୪ଟା୩୦ରେ ମଇଲମ ଓ ତଡ଼ପ ଲାଗି ହେବ । ସକାଳ ୬ଟା୨୦ ରୁ ୬ଟା ୫୦ ସୁଦ୍ଧା ପହିଲି ଭୋଗ ଏବଂ ୭ଟା୩୦ ରୁ ୯ଟା ମଧ୍ୟରେ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ସେହିପରି ୧୦ଟା ସୁଦ୍ଧା ମଇଲମ ଏବଂ ୧୧ଟାରୁ ୧୨ଟା ୩୦ ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ କରିବା ପାଇଁ ନୀତି ନିର୍ଘଂଟ ହୋଇଛି ।

ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସୂର୍ଯ୍ୟୋପରାଗ ଦକ୍ଷିଣ ଭାରତର କିଛି ଅଂଚଳ ବଳୟ ପରାଗ ଭାବେ ଦୃଶ୍ୟମାନ ହେବ । ଓଡିଶାରେ ଏହା ଆଂଶିକ ପରାଗ ଭାବେ ଦେଖାଯିବ । ସକାଳ ୯ଟା ୪୬ ମିନିଟରେ ଓଡିଶାରେ ସର୍ବାଧିକ ପ୍ରଭାବ ରହିବ ଏବଂ ସୂର୍ଯ୍ୟର ୫୫ରୁ ୬୫% ଅଂଶ ଦୃଶ୍ୟମାନ ହେବ ନାହିଁ ବୋଲି ଆକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି ।