କ୍ରୀଡ଼ା ପ୍ରତିଯୋଗିତା ବେଳେ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍: ସଫଳ ଅସ୍ତ୍ରୋପଚାର ପରେ ବିପଦ ମୁକ୍ତ ହେଲେ ଛାତ୍ର

150

କନକ ବ୍ୟୁରୋ: ଛାତ୍ରଙ୍କ ବେକରେ ଜାଭେଲିନ । ବେକର ଗୋଟିଏ ପାଶ୍ୱର୍ରେ ପଶି ଆରପଟେ ଜାଭେଲିନ ବାହାରିଛି । ଏ ଛାତି ଥରା ଦୃଶ୍ୟ ଆସିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପରିସରରୁ । ବଲାଙ୍ଗୀର ଆଗଲପୁର ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମୟରେ ଅସାବଧାନତାରୁ ଏହି ଛାତ୍ରଙ୍କ ବେକରେ ଜାଭେଲିନ ପଶି ଯାଇଥିଲା । ସ୍କୁଲରେ କ୍ରୀଡା ପ୍ରତିଯୋଗିତା ଦେଖୁଥିବା ନବମ ଶ୍ରେଣୀର ଏହି ଛାତ୍ର, ସଦାନନ୍ଦ ମେହେର ଯେ ତାଙ୍କ ସହ ଏମିତି ଅଘଟଣ ଘଟିବ କେବେ କଳ୍ପନା କରିନଥିଲେ । ଆଉ ବେକରେ ଜାଭେଲିନ ପଶିଯିବା ପରେ ତାଙ୍କୁ ସେହି ଅବସ୍ଥାରେ ମେଡିକାଲକୁ ଅଣାଯାଇଥିଲା ।

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଅସ୍ତ୍ରୋପଚାର କରି ଛାତ୍ରଙ୍କ ବେକରୁ ଜାଭେଲିନ ବାହାର କରାଯାଇଛି । ସୌଭାଗ୍ୟବଶତଃ ଜାଭେଲିନ ପିଲାଟିକ ବେକରେ ଉପରି ଭାଗରେ ପଶିଥିବାରୁ ବିଶେଷ କ୍ଷତି ହୋଇନାହିଁ । ଏବେ ଛାତ୍ର ଜଣକ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଫାଇବ ଟି ସଚିବ । ଛାତ୍ରର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ବଲାଙ୍ଗିର ଆଗଲପୁର ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଚାଲିଥିଲା ବେଳେ ଅସାବଧାନତାରୁ ଏପରି ଅଘଟଣ ଘଟିଛି । ଏବେ ରାଜ୍ୟର ବିଭିନ୍ନ ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଛି । ସତର୍କ ନରହିଲେ କିପରି ସାଂଘାତିକ ସ୍ଥିତି ଉପୁଜିପାରେ୍ ଆଗଲପୁର ସ୍କୁଲରେ ଘଟିଥିବା ଏହି ଅଘଟଣ ସୂଚାଉଛି ।