ମୁମ୍ବାଇରେ ମହାଅଘାଡ଼ି ମେଣ୍ଟର ମେଗାରାଲି: ସିନେ୍ଧ ସରକାର ଓ ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିରୋଧରେ ମେଣ୍ଟର ରଣହୁଙ୍କାର

119

କନକ ବ୍ୟୁରୋ: ମହାରାଷ୍ଟ୍ର ସରକାରଙ୍କ ବିରୁଦ୍ଧରେ ମହାବିକାଶ ଅଗାଡି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ଏହାକୁ କାଉଂଟର କରି ଆନ୍ଦୋଳନ କରିଛି । ରାଜ୍ୟପାଳ ଭଗତ ସିଂ କୋଶରିଆ ଛତ୍ରପତିଙ୍କୁ ଦେଇଥିବା ବିବାଦୀୟ ବୟାନ, କର୍ଣ୍ଣାଟକ –ମହାରାଷ୍ଟ୍ର ସୀମା ବିବାଦରେ ମହାବିକାଶ ଅଗାଡି ବିକ୍ଷୋଭ ପ୍ରଦର୍ଶନ କରିଛି । ସେପଟେ ଶିବସେନା ନେତା ସୁଷୁମା ଆନ୍ଧାରେଙ୍କ ହିନ୍ଦୁ ଦେବାଦେବୀଙ୍କୁ ନେଇ ଦେଇଥିବା ବିବୃତି ବିରୁଦ୍ଧରେ ଆନ୍ଦୋଳନ କରିଛି ବିଜେପି ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କ ବିବାଦୀୟ ବୟାନକୁ ନେଇ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ । ଶନିବାର ବିରୋଧୀ ମେଣ୍ଟ ମହାବିକାଶ ଅଘାଡି ପକ୍ଷରୁ ବିଭିନ୍ନ ମୁଦ୍ଦାକୁ ନେଇ ଏକନାଥ ସିନେ୍ଧ ସରକାର ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି । ମହାବିକାଶ ଅଘାଡି ବା ଏମଭିଏ ଦ୍ୱାରା ଆୟୋଜିତ ବିଶାଳ ଶୋଭାଯାତ୍ରାରେ ପ୍ରାୟ ୫୦ରୁ ଅଧିକ ସଙ୍ଗଠନ, ବିଭିନ୍ନ ଗୋଷ୍ଠୀ, ରାଜନୈତିକ ଦଳ ଏବଂ ଏନଜିଓ ଗୁଡିିକ ସାମିଲ ହୋଇଛନ୍ତି । ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବିରୋଧୀ ଦଳ ନେତା ଅଜିତ ପାୱାର ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପଟୋଲେ । ଦୀର୍ଘ ୫ କିଲୋମିଟର ବ୍ୟାପି ହୋଇଥିବା ଏହି ରାଲି ଜେ ଜେ ହସ୍ପିଟାଲ ନିକଟରୁ ଆରମ୍ଭ ହୋଇ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଟର୍ମିନାସ ପର୍ଯ୍ୟନ୍ତ ଲମ୍ବିଥିଲା ।

ଏମଭିଏ ମେଣ୍ଟର ଅଭିଯୋଗ ଅନୁଯାୟୀ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀ ମହାରାଜା ଏବଂ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଭଳି ମହାପୁରୁଷଙ୍କୁ ରାଜ୍ୟପାଳ ଅପମାନ କରିଛନ୍ତି । ତେଣୁ ରାଜ୍ୟପାଳଙ୍କୁ ତୁରନ୍ତ ହଟାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ମହାରାଷ୍ଟ୍ରରେ ହେବାକୁ ଥିବା ପୁଂଜି ବିନିଯୋଗ ଗୁଜରାଟ ଚାଲି ଯାଉଥିବାରୁ ଏହାକୁ ଏକ ବଡ ପ୍ରସଙ୍ଗ କରିଛି ମହାବିକାଶ ଅଘାଡି ମେଣ୍ଟ । ଏହାସହ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ରାଜ୍ୟସରକାରଙ୍କୁ ଟାଗେର୍ଟ କରିଛି ଏମ୍ଭିଏ ମେଣ୍ଟ । ସେପଟେ ଶାସକ ଦଳର ସହଯୋଗୀ ବିଜେପି ମଧ୍ୟ ଶନିବାର ପ୍ରତିବାଦ ଶୋଭାଯାତ୍ରା କରିଛି । ବିଜେପି ଅଭିଯୋଗ କରିଛି, ମହାବିକାଶ ଅଘାଡି ନେତା ହିନ୍ଦୁ ଦେବତା ଓ ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର.୍ ଆମ୍ବେଦକରଙ୍କୁ ଅପମାନିତ କରିଛନ୍ତି । ତେଣୁ ଏମଭିଏ ମେଣ୍ଟ ସାଧାରଣ ଜନତାଙ୍କୁ କ୍ଷମା ମାଗିବା ଉଚିତ୍ ।

ଡିସେମ୍ବର ୧୩ ତାରିଖରେ ୮୦ଟି ରାଜନୈତିକ ଦଳ ତରଫରୁ ପୁନେରେ ବନ୍ଦ ଡାକରା ଦିଆଯାଇଥିଲା । ଏହାପରେ ଶନିବାର ଶାସକ ଓ ବିରୋଧୀଙ୍କ ଶୋଭାଯାତ୍ରା ମହାରାଷ୍ଟ୍ରର ରାଜନୀତିକୁ ଉଷ୍ମ କରିଦେଇଛି । ଉଭୟ ଶାସକ ଓ ବିରୋଧୀଙ୍କ ପ୍ରତିବାଦ ରାଲି ପାଇଁ କୌଣସି ବିଶୃଙ୍ଖଳା ଯେପରି ନ ହେବ, ସେଥିପାଇଁ ୨୫ôଶହରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ମୁମ୍ବାଇ ପୋଲିସ ସଜାଗ ରହିଛି ।