ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ରାଇରଙ୍ଗପୁର ଗସ୍ତ । ସଜେଇ ହେଉଛି ସହର

166

କନକ ବ୍ୟୁରୋ: ଗାଁକୁ ଫେରୁଛନ୍ତି ମାଟିର ଝିଅ । ଜନ୍ମମାଟିକୁ ଫେରୁଛନ୍ତି ସାରା ଓଡ଼ିଶାର ଗୌରବ । ଦେଶର ପ୍ରଥମ ନାଗରିକ, ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତକୁ ନେଇ ଯେତିକି ଉତ୍ସାହ ଅଛି, ତାଠୁ ଅଧିକ ଭାବପ୍ରବଣତା ଅଛି । ସଂଘର୍ଷରୁ ସଫଳତାର ଶୀର୍ଷରେ ପହଞ୍ଚିଥିବା ମହାମହିମଙ୍କ ପ୍ରଥମ ଗ୍ରସ୍ତ ପୂର୍ବରୁ ସଜେଇ ପ୍ରସ୍ତୁତ ହୋଇଛି ରାଇରଙ୍ଗପୁର ।

ଏଇଠି ହିଁ ପଡ଼ିଥିଲା ମହାମହିମ ରାଷ୍ଟ୍ରପତିଙ୍କ ସଂଘର୍ଷ ଓ ସଫଳତାର ମୂଳଦୁଆ । ପାହାଡ଼ପୁର ଗାଁରେ ସାଇତା ରହିଛି କିଛି ଅଭୁଲା ସ୍ମୃତି । ସ୍ୱାମୀଙ୍କ ସ୍କୃତି ରହିଛି, ଦୁଇ ପୁଅଙ୍କର ସ୍ମୃତିରେ ନିର୍ମାଣ ହୋଇଥିବା ସ୍କୁଲ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତର ପ୍ରଥମ ଦିନରେ ଦୁଇ ପୁଅ ଏବଂ ସ୍ୱାମୀଙ୍କ ସ୍ମୃତିରେ ନିର୍ମାଣ ହୋଇଥିବା ସ୍କୁଲ ଆସି, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ।

ପଲ୍ଲୀରୁ ଉଠି ଦିଲ୍ଲୀର ଶୀର୍ଷ ଆସନରେ ବସିଥିବା ମହାମହିମଙ୍କ ଯାତ୍ରାରେ ଲୁଚି ରହିଛି ଅନେକ କୋହଭରା କାହାଣୀ । ଯୁବ ଅବସ୍ଥାରେ ବଡ଼ ପୁଅ ଲକ୍ଷ୍ମଣ ମୁର୍ମ ଚାଲିଗଲେ, ମାତ୍ର ୩ ବର୍ଷର ବ୍ୟବଧାନ ପରେ ସାନପୁଅ ସିପୁନ ମୁର୍ମୁ ଏକ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲେ । ଦୁଇ ପୁଅଙ୍କ ଅକାଳ ବିୟୋଗକୁୁ ଭୁଲି ବି ନଥିଲେ ଦୌପଦୀ ମୁର୍ମୁ ସାଥ୍ ଛାଡ଼ି ଦେଇଥିଲେ ସ୍ୱାମୀ ଶ୍ୟାମଚରଣ ମୁର୍ମୁ ।

ତେବେ ଆସନ୍ତା ୪ ତାରିଖରେ ଏସଏଲଏସ ସ୍କୁଲ କାର୍ଯ୍ୟକ୍ରମ ସାରିବା ପରେ ୫ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳ ପରିଦର୍ଶନ, ଶିମିଳିପାଳ ଜାତୀୟ ଉଦ୍ୟମ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ସେହିପରି ଗସ୍ତର ତୃତୀୟ ଦିନରେ ବାରିପଦା ମହାରାଜ ଶ୍ରୀରାମ ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ଏସବୁ ଭିତରେ ରାଷ୍ଟପତି ଦୌପଦୀ ମୁର୍ମୁଙ୍କୁ ଗସ୍ତକୁ ନେଇ ଉତ୍ସବ ମୁଖର ହୋଇଉଠିଛି ମୟୁରଭଞ୍ଜ ।

ସୂଚନାଯୋଗ୍ୟ ଯେ, ମାଟିର ଝିଅ ଯେତେବେଳେ ରାଷ୍ଟ୍ରପତି ହୋଇ ଜନ୍ମମାଟିକୁ ଫେରୁଛନ୍ତି, ସେତେବେଳେ କେବଳ କେବଳ ମୟୁରଭଞ୍ଜ କିମ୍ବା ରାଇରଙ୍ଗପୁର କାହିଁକି, ସାରା ଓଡ଼ିଶାରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।