ସହଜ ହେବ ବିବାହ ବିଚ୍ଛେଦ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ଛାଡପତ୍ର ପାଇଁ ୬ ମାସ ଅପେକ୍ଷା କରିବା ନୁହେଁ ବାଧ୍ୟତାମୂଳକ

229

କନକ ବ୍ୟୁରୋ: ଏଣିକି ତୁରନ୍ତ ହୋଇପାରିବ ଛାଡ଼ପତ୍ର । ଛାଡ଼ପତ୍ର ପ୍ରସଙ୍ଗରେ ଏପରି ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ପ୍ରକ୍ରିୟା ପାଇଁ ୬ମାସ ପର୍ଯ୍ୟନ୍ତ ସମୟ ଲାଗୁଥିଲା ଏବଂ ଦମ୍ପତିଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ଏବେ କିନ୍ତୁ ସୁପ୍ରିମକୋର୍ଟ ଚାହିଁଲେ ତୁରନ୍ତ ହୋଇପାରିବ ଛାଡ଼ପତ୍ର । ଯଦି ସ୍ୱାମୀ- ସ୍ତ୍ରୀ ଏକାଠି ରହିବା ସମ୍ଭବ ନଥିବ, ଉଭୟ ପରସ୍ପର ଠାରୁ ଅଲଗା ରହୁଥିବେ, ଏପରି କ୍ଷେତ୍ରରେ ତୁରନ୍ତ ମିଳିପାରିବ ଛାଡପତ୍ର ।

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
  • ତୁରନ୍ତ ହୋଇପାରିବ ଛାଡ଼ପତ୍ର
  • ଅପେକ୍ଷା କରିବାକୁ ପଡ଼ିବନି ୬ମାସ

ଛାଡ଼ପତ୍ର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଛାଡ଼ପତ୍ର ପାଇଁ ଆଉ ଦମ୍ପତିଙ୍କୁ ୬ ମାସ ଯାଏ ଅପେକ୍ଷା କରିବାକୁ ପଡ଼ିବନି । ସୁପ୍ରିମକୋର୍ଟରେ ତକ୍ରାଳ ଛାଡ଼ପତ୍ର ହୋଇପାରିବ । ଏଥିପାଇଁ ଫ୍ୟାମିଲି କୋର୍ଟକୁ ବାରମ୍ବାର ଯିବାକୁ ମଧ୍ୟ ପଡ଼ିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏସକେ କୌଲଙ୍କ ଅଧ୍ୟକ୍ଷତା ବିଶିଷ୍ଟ ୫ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।

ଛାଡ଼ପତ୍ର ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ସହମତି ସତ୍ତ୍ୱେ ପ୍ରଥମେ ଫ୍ୟାମିଲି କୋର୍ଟରେ ଉଭୟ ପକ୍ଷଙ୍କୁ ପୁନର୍ବିଚାର ପାଇଁ ୬ମାସ ସମୟସୀମା ଦିଆଯାଇଥାଏ । କିନ୍ତୁ ଏବେ ସୁପ୍ରିମକୋର୍ଟଙ୍କ ନୂଆ ରାୟ ଅନୁସାରେ, ସହମତିରେ ଛାଡ଼ପତ୍ର ପାଇଁ ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ କହିଛନ୍ତି, ସମ୍ବିଧାନର ଧାରା ୧୪୨ ଅନୁସାରେ ବିଶେଷ କ୍ଷମତା ପ୍ରୟୋଗ କରି ଦମ୍ପତିଙ୍କୁ ସହମତିରେ ଛାଡ଼ପତ୍ର ପାଇଁ ଥିବା ୬ମାସ ସମୟସୀମାକୁ ରଦ୍ଦ କରିପାରିବେ । କିନ୍ତୁ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରିବା ବେଳେ ସର୍ବୋଚ୍ଚ ଅଦାଲତ ସବୁ ପ୍ରକାର ସ୍ଥିତିକୁ ପରଖିବେ । କେଉଁ ସବୁ ଆଚରଣ ଓ ସ୍ଥିତି ଯୋଗୁଁ ଦମ୍ପତିଙ୍କ ମଧ୍ୟରେ ଆଉ ସମ୍ପର୍କ ଯୋଡ଼ିହେବା ସମ୍ଭବ ନୁହେଁ, ବିବେଚନା କରିବେ ସୁପ୍ରିମକୋର୍ଟ ।

ଜଷ୍ଟିସ ଏସକେ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମନାଥ ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କ ୫ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ଛାଡ଼ପତ୍ର ପାଇଁ ଆଉ ୬ମାସ ଯାଏଁ ଅପେକ୍ଷା କରିବାକୁ ପଡ଼ିବନି । ଏହି ରାୟ ପରେ ଦମ୍ପତି ପାରିବାରିକ ଅଦାଲତ ନଯାଇ ସୁପ୍ରିମକୋର୍ଟରୁ ସିଧାସଳଖ ଛାଡ଼ପତ୍ର ଆଣିପାରିବେ ।

ତେବେ ୨୦୧୪ରେ ହୋଇଥିବା ଏକ ମାମଲାର ଶୁଣାଣୀ ବେଳେ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୨୦୧୪ରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହେଇଥିଲା । ଯେଉଁଥିରେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ତୁରନ୍ତ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଶିଳ୍ପା ଶୈଳେସ ଓ ବରୁନ ଶ୍ରୀନିବାସନ ।