ଅନୁଗୁଳ ସହରରେ ମିଳୁଥିବା ପାଉଁରୁଟିକୁ ନେଇ ଅସନ୍ତୁଷ୍ଟ ଗ୍ରାହକ । ବ୍ରେଡରେ ଏକ୍ସପାରୀ ଡେଟ୍ ନଥିବାରୁ ଜଣା ପଡୁନି ବାସି କି ସଜ

139

କନକ ବ୍ୟୁରୋ: ବ୍ରେଡରେ ଲେଖା ହେଉନି ଏକ୍ସପାୟରି ତାରିଖ। ଲାଭ ଲୋଭର, ଖେଳରେ ଗ୍ରାହକ। ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଖାଦ୍ୟ ପଦାର୍ଥ। ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଗ୍ରାହକଙ୍କୁ। ଲାଭ କଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା। ଜିଲ୍ଲା ଜନସ୍ଵାସ୍ଥ୍ୟ ବିଭାଗର ଯାଞ୍ଚ ବେଳେ ଧରାପଡିଲା ଅନୁଗୋଳ ସହରର ଖାଦ୍ୟ ପ୍ରସ୍ତୁତକାରୀ ସଂଥା ଗୁଡିକରଗୁମର।

ଅଭିଯୋଗ ଅନୁସାରେ ଜିଲ୍ଲାର ବିଭିନ୍ନ ଦୋକାନ ବାଜରରେ ମିଳୁଥିବା ଭଳି କି ଭଳି ପାଉଁରୁଟି ବା ବ୍ରେଡରେ କମ୍ପାନୀର କୌଣସି ମାର୍କ ନଥିବା ବେଳେ ଏକ୍ସପାରୀ ଡେଟ୍ ରହୁନାହିଁ । ତେଣୁ ପାଉଁରୁଟି କେବେ ତିଆରି ହୋଇଛି, ଏହାର ଗୁଣବତାର ଶେଷ ସମୟ ଅର୍ଥାତ୍ ଏକ୍ସପାରୀ ଡେଟ୍ କେବେ ଜାଣିପାରୁନାହାନ୍ତି ଗ୍ରାହକ । ଫଳରେ ଅନେକ ସମୟରେ ଖରାପ ବ୍ରେଡ କିଣି ଗ୍ରାହକ ହଟହଟା ହେଉଛନ୍ତି । ନାମୀଦାମୀ ବ୍ରାଣ୍ଡ ବ୍ରେଡ ଓ ଅନ୍ୟାନ୍ୟ ବେକରୀ ଖାଦ୍ୟ ସାମଗ୍ରୀରେ ମୂଲ୍ୟ ଲେଖା ହେଉଥିବା ବେଳେ କାହିଁକି ଏକ୍ସପାରୀ ଡେଟ୍ ଲେଖା ଯାଉନାହିଁ ବୋଲି ଗ୍ରାହକମାନେ ଅଭିଯୋଗ କରିବା ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରର ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀରେ ଯାଂଚ କରାଯାଇଛି ।

ଅନୁଗୁଳ ସହରରେ ବହୁ ପାଉଁରୁଟି ପ୍ରସ୍ତୁତକାରୀ କମ୍ପାନୀ ରହିଛି । କମ୍ପାନୀ ଗୁଡିକ ବଜାର ଚାହିତା ମୁତାବକ ବେଡ୍ର ଯୋଗାଇ ଦେଉଛନ୍ତି । ହେଲେ ଅଧିକାଂଶ କମ୍ପାନୀ ବ୍ରେଡରେ ଦର ଲେଖୁଛନ୍ତି କିନ୍ତୁ ଏକ୍ସପାରୀ ଡେଟ୍ ଲେଖୁନାହାନ୍ତି । ଖାଦ୍ୟ ପ୍ୟାକେଟ୍ରେ ସେମାନଙ୍କ ଫୋନ ନମ୍ବର ମଧ୍ୟ ରହୁନାହିଁ । ଏମିିତି ଅଭିଯୋଗ ଆଧାରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ଯାଂଚ ବେଳେ ସାମ୍ନାକୁ ଆସିଛି ବ୍ରେଡ ପ୍ରସ୍ତୁତକାରୀ କମ୍ପାନୀର ଭିତିରି କଥା । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ କର୍ମଚାରୀମାନେ ସଠିକ୍ ଭାବେ ଗ୍ଲୋବସ୍ ପିନ୍ଧୁନାହାନ୍ତି ।

ଅନେକ କମ୍ପାନୀର ପ୍ରିଂଟିଙ୍ଗ ମେସିନ୍ ଖରାପ ହୋଇଯାଇଛି । କିଛି କମ୍ପାନୀର ଫୁଡ ଲାଇସେନ୍ସ ଅବଧି ମଧ୍ୟ ଶେଷ ହୋଇଯାଇଛି । ତେବେ ଫୁଡ୍ ସିକ୍ୟୁରିଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ ଅନୁସାରେ ଯଦି କୌଣସି ଖାଦ୍ୟ ପଦାର୍ଥର ଏକ୍ସପାରୀ ଡେଟ୍ ସରିବା ପରେ ବିକ୍ରି କରାଯାଏ ତେବେ ସଂପୃକ୍ତ ବିକ୍ରେତା ଏଥିପାଇଁ ଦାୟୀ ରହିବେ । ତାଙ୍କ ବିରୋଧରେ ଜୋରିମାନା ସହ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ଅନୁଗୁଳରେ ଜନସ୍ୱାସ୍ଥ୍ୟ ବିଭାଗ ଚଢାଉ କରି ବ୍ରେଡ ପ୍ରସ୍ତୁତ କରୁଥିବା କମ୍ପାନୀଠାରୁ ଜୋରିମାନା ଆଦାୟକ କରିବା ସହ ସଠିକ୍ ଢଙ୍ଗରେ ଖାଦ୍ୟ ପ୍ରସ୍ତୁତ ପାଇଁ ତାଗିଦ୍ କରିଛନ୍ତି ।

ପାଉଁରୁଟି ଏକ ସ୍ୱାସ୍ଥ୍ୟକର ଖାଦ୍ୟ ବୋଲି ବିବେଚନା କରାଯାଏ । ତେଣୁ ଛୋଟ ପିଲାଙ୍କୁ ଠାରୁ ଆରମ୍ଭ କରି ବୟସ୍କ, ଦେହ ଖରାପ ହେଲେ ରୋଗୀ, ସମସ୍ତଙ୍କୁ ପ୍ରାୟତଃ ଖାଦ୍ୟରେ ବ୍ରେଡ ଦିଆଯାଏ । କିନ୍ତୁ ଯଦି ବ୍ରେଡ ଗୁଡିକରେ ଏକ୍ସପାରୀ ଡେଟ୍ ନଥିବାରୁ, ରୋଗୀ ବା ଶିଶୁଙ୍କୁ ଖରାପ ବ୍ରେଡ ଖାଉବାକୁ ଦିଆଯାଏ, ତେବେ ସେଥିପାଇଁ କିଏ ଦାୟୀ ରହିବେ । ସଂପକ୍ତ କଂପାନୀ ଉତରଦେହି ହେବେ ତ?