ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ । ମହାମାରୀ ପାଇଁ ହୋଇପାରୁନି ରକ୍ତ ସଂଗ୍ରହ, ସମ୍ପର୍କୀୟଙ୍କୁ ଡାକିଲେ ମିଳୁଛି ରକ୍ତ ।

94

କନକ ବ୍ୟୁରୋ : ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ । ରକ୍ତ ପାଇଁ ରୋଗୀଙ୍କୁ ସାଙ୍ଗରେ ରକ୍ତଦାତା ଆଣିବାକୁ ପଡୁଛି । ସେପଟେ କରୋନା ଯୋଗୁଁ ରକ୍ତଦାନ ଶିବିର ପୂର୍ବ ପରି ଆୟୋଜନ ହୋଇପାରୁନଥିବାରୁ ସାଂଘାତିକ ସ୍ଥିତି ଉପୁଜିଲାଣି । ଭୀମସାର ପାଇଁ ଦିନକୁ ଦରକାର ପଡେ ପ୍ରାୟ ୮୦ରୁ ୯୦ ୟୁନିଟ ରକ୍ତ । ହେଲେ ବର୍ତମାନ ଅଛି ମାତ୍ର ୯୫ଟି ୟୁନିଟ । ତିନି ଦିନ ତଳେ ଠେଲକୋଲୋଇ ଥାନାରେ ରକ୍ତ ଦାନ ଶିବିରରେ ଏହା ସଂଗୃହିତ ହୋଇଥିଲା । ହେଲେ ଏହି ସଂଗୃହିତ ରକ୍ତ କେତେଦିନ ଆବଶ୍ୟକତା ପୂରଣ କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।
ଏକଚେଂଜରେ ରକ୍ତ ଦିଆଯାଉଥିଲେ ସୁଦ୍ଧା ଥାଲେସେମିଆ, ଦୁର୍ଘଟଣା, କୋଭିଡ ପରି ୫ଟି କେସରେ ରୋଗୀଙ୍କୁ ମାଗଣା ତଥା ବିନା ଏକ୍ସଚେଂଜରେ ମଧ୍ୟ ରକ୍ତ ଯୋଗାଇବା ନିୟମ ରହିଛି । ସେପଟେ ପଶ୍ଟିମ ଓଡିଶାରେ କେବଳ ୨୩୦ଟି ପଞ୍ଚିକୃତ ଥାଲେସିମିଆ ରୋଗୀ ରହିଛନ୍ତି । ଏପଟେ କୋଭିଡ ମହାମାରୀ ଯୋଗୁୁଁ ରକ୍ତ ସଂଗ୍ରହ ପ୍ରଭାବିତ ହୋଇଛି । ମହାମାରୀ କାଳରେ ରକ୍ତ ଦାନ ଶିବିର ବି ପୂର୍ବ ପରି ଆୟୋଜନ କରାଯାଇପାରୁ ନାହିଁ । ଫଳରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ଏଭଳି ସ୍ଥିତିରେ ଛତିଶଗଡ ତଥା ଅନ୍ୟ ଜିଲ୍ଲାରୁ ରୋଗୀ ଭୀମସାର ଆସୁଛନ୍ତି । ରକ୍ତ ଦରକାର ପଡିଲେ ସମ୍ପର୍କୀୟଙ୍କୁ ଡାକିବାକୁ ପଡୁଛି । ଯାହା ବଡ ସମସ୍ୟା ହୋଇ ଉଭା ହେଲାଣି ।